କନକ ବ୍ୟୁରୋ : ପୌର ନିର୍ବାଚନ ଫଳାଫଳ ଆସିସାରିଛି । ଫଳାଫଳ ଅନେକ ତୁଙ୍ଗ ନେତା ଓ ମନ୍ତ୍ରୀଙ୍କ ପତିଆରା ସମ୍ପର୍କରେ ସ୍ପଷ୍ଟ ଚିତ୍ର ଆଙ୍କିଛି । ବିଜେଡି ସଫଳତା ହାସଲ କରିଥିଲେ ବି କେତେକ ସ୍ଥାନରେ ବିଜେଡିର ବଡ ନେତାଙ୍କୁ ଜବରଦସ୍ତ ଝଟକା ଲାଗିଛି । କିଛି ସ୍ଥାନରେ ସ୍ୱାଧୀନ ପ୍ରାର୍ଥୀ ଜିତିଥିବାବେଳେ ବିଜେଡି ତୃତୀୟ ସ୍ଥାନକୁ ଚାଲିଯାଇଛି । ପଶ୍ଚିମ ଓଡିଶାରେ ବିଜେଡି ବିପୁଳ ବିଜୟ ପାଇଥିଲେ ବି ନିରାଶ କରିଛନ୍ତି ବିଜେଡିର ହେଭିୱେଟ ନେତା ତଥା ମନ୍ତ୍ରୀ । ମନ୍ତ୍ରୀ ନବଦାସ, ସୁଶାନ୍ତ ସିଂହ, ଟୁକୁନୀ ସାହୁ ଓ ଦିବ୍ୟଶଙ୍କର ମିଶ୍ର ।
ବହୁବର୍ଷ ଧରି ଝାରୁସୁଗୁଡା ଜିଲ୍ଲାରେ ଅପ୍ରତିଦ୍ୱନ୍ଦୀ ନେତା ଭାବେ ଉଭା ହୋଇଥିବା ମନ୍ତ୍ରୀ ନବ ଦାସଙ୍କୁ ବଡ ଝଟକା ଲାଗିଛି । ବେଲପାହାଡରେ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବାରେ ସେ ଅସମର୍ଥ ହୋଇଛନ୍ତି । ଏଠାରେ କଂଗ୍ରେସ ପ୍ରାର୍ଥୀ ଜିତିଛନ୍ତି ।
- ସବୁଠାରୁ ଆଶ୍ଚର୍ଯ୍ୟଜନକ ଫଳାଫଳ ଦେଖିବାକୁ ମିଳିଛି ବିଜେପୁର ନିର୍ବାଚନ ମଣ୍ଡଳୀରେ । ବରପାଲି ଏନଏସିରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ପଶ୍ଚିମ ଓଡିଶାରେ ବିଜେଡି ସଙ୍ଗଠନର ମଙ୍ଗ ଧରିଥିବା ସୁଶାନ୍ତ ସିଂଙ୍କ ମନୋନୀତ ବିଜେଡି ପ୍ରାର୍ଥୀ ଏଠାରେ ହାରିଛନ୍ତି । କୁହାଯାଉଛି, ବିଧାୟିକା ରୀତା ସାହୁଙ୍କ ପ୍ରଛନ୍ନ ସମର୍ଥନରେ ଛିଡା ହୋଇଥିବା ସ୍ୱାଧୀନ ପ୍ରାର୍ଥୀ ଏଠାରେ ଜିତିଛନ୍ତି ।
- ସେହିଭଳି ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବଲାଙ୍ଗୀର ଜିଲ୍ଲାରେ ମନ୍ତ୍ରୀ ଟୁକୁନୀ ସାହୁଙ୍କ ଗଡ ଟିଟିଲାଗଡକୁ ବିଜେପି ଛଡାଇ ନେଇଛି । ଏଠାରେ ସେ ନିଜ ପ୍ରାର୍ଥୀଙ୍କୁ ଜିତାଇପାରିନାହାନ୍ତି । ଟିଟିଲାଗଡରେ ବିଜେପିର ମମତା ଦେବୀ ଜୈନ ୯ ହଜାରରୁ ଅଧିକ ଭୋଟ ପାଇଥିବାବେଳେ ବିଜେଡିର ସୁକାନ୍ତୀ ପାଢୀ ୫ ହଜାର ୬୪୬ ଭୋଟ ପାଇଛନ୍ତି ।
-କଳାହାଣ୍ଡି ଜିଲ୍ଲାରେ ଦିବ୍ୟଶଙ୍କର ମିଶ୍ରଙ୍କ ନିଜ ଗଡ ଜୁନାଗଡରେ ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ପରାଜିତ ହୋଇଛନ୍ତି । ଏହା ବିଜେପି ଖାତାକୁ ଯାଇଛି । ବିଜେପିର ମୁକେଶ ଅଗ୍ରୱାଲ ଏଠାରେ ବିଜୟୀ ହୋଇଛନ୍ତି । ବିଜେଡି ଦ୍ୱିତୀୟ ସ୍ଥାନରେ ଅଛି । ଧର୍ମଗଡ ଆସନରେ ମଧ୍ୟ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବିଜେଡି ଦ୍ୱିତୀୟ ସ୍ଥାନରେ ଅଛି । ତେବେ ପ୍ରଶ୍ନ ଉଠୁଛି, ମମିତା ମେହେର ପ୍ରସଙ୍ଗର ପ୍ରଭାବ ପଂଚାୟତ ଭୋଟରେ ପଡିନଥିଲେ ବି ସହରୀ ଭୋଟ ଉପରେ ପଡିଛି କି ।
ସେହିଭଳି କୋରାପୁଟ କୋଟପାଡରେ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଗଡରେ ବିଜେଡି ଚିତପଟାଙ୍ଗ ହୋଇଛି । କୋଟପାଡ ଏନଏସିରେ କଂଗ୍ରେସ ଜିତିଥିବାବେଳେ ବିଜେଡି ତୃତୀୟ ସ୍ଥାନକୁ ଚାଲିଯାଇଛି । ବିଜେପି ଦ୍ୱିତୀୟ ସ୍ଥାନରେ ଅଛି । ମୋଟ ୧୩ଟି ୱାର୍ଡ ମଧ୍ୟରୁ କଂଗ୍ରେସ ୬ଟି ଆସନରେ ଜିତିଛି । ବିଜେଡି ଓ ବିଜେପି ୩ଟି ଲେଖାଁଏ ୱାର୍ଡ ପାଇଛନ୍ତି ।
ବଲାଙ୍ଗୀରରେ କେବଳ ମନ୍ତ୍ରୀ ଟକୁନି ସାହୁଙ୍କୁ ଝଟକା ଲାଗିନାହିଁ, ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କୁ ବି ଝଟକା ଲାଗିଛି । ବଲାଙ୍ଗିରରେ କଂଗ୍ରେସ ପ୍ରାର୍ଥୀ ପରାସ୍ତ ହୋଇଥିବା ବେଳେ ଅଧ୍ୟକ୍ଷ ପଦ ବିଜେଡି ହାତକୁ ଯାଇଛି । ବିଜେଡିର ଲିକା ସାହୁ ୨୬ ହଜାର ୯୧ ଭୋଟ ପାଇଛନ୍ତି । କଂଗ୍ରେସ ଦ୍ୱିତୀୟ ସ୍ଥାନରେ ଥିଲେ ବି ମାତ୍ର ୧୧ହଜାର ୬୫୯ ଖଣ୍ଡ ଭୋଟ ପାଇଛନ୍ତି ।
ସେହିଭଳି ବିଜେପି ସାଂସଦ ବସନ୍ତ ପଣ୍ଡାଙ୍କ ପୁଅ ପୌର ନିର୍ବାଚନରେ ହାରିଯିବା ଦଳକୁ ଚିନ୍ତାରେ ପକାଇଛି । ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା ନୂଆପଡା ଏନଏସିରୁ ବିଜେପି ପ୍ରାର୍ଥୀ ହୋଇଥିଲେ । ଏଠାରେ କିନ୍ତୁ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବିଜେପି ଦ୍ୱିତୀୟ ସ୍ଥାନରେ ଥିବାବେଳେ ବିଜେଡି ତୃତୀୟ ସ୍ଥାନକୁ ଚାଲିଯାଇଛି । ବିଜେଡି କିନ୍ତୁ ସର୍ବାଧିକ ୮ଟି ୱାର୍ଡରେ ଜିତିଛି । ବିଜେପି ଓ କଂଗ୍ରେସ ଗୋଟିଏ ଗୋଟିଏ ଲେଖାଁଏ ୱାର୍ଡ ଜିତିଛନ୍ତି । ସ୍ୱାଧୀନ ୪ଟି ୱାର୍ଡ ପାଇଛନ୍ତି ।