ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ହେଭିୱେଟ ନେତା । ଧାଡିରେ ଛିଡା ହୋଇ ଦେଲେ ଭୋଟ, ମତଦାନ କରିବାକୁ ଭୋଟରଙ୍କୁ କଲେ ଅପିଲ ।

126

କନକ ବ୍ୟୁରୋ : ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ । ଅସହ୍ୟ ଗରମ ସତ୍ତେ୍ୱ ମଧ୍ୟ ନେତା ବାଛିବା ପାଇଁ ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି । ମତଦାନ କେନ୍ଦ୍ର ସାମ୍ନାରେ ଲମ୍ବା ଲାଇନରେ ଛିଡା ହୋଇ ନିଜର ନେତା ବାଛୁଛନ୍ତି ଜନତା । ଷଷ୍ଠ ପର୍ଯ୍ୟାୟରେ ଅନେକ ହେଭିୱେଟ ନେତା ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । କେବଳ ସାଧାରଣ ଲୋକ ନୁହେଁ ବରଂ ହେଭିୱେଟ ନେତା ମଧ୍ୟ ମତଦାନ କେନ୍ଦ୍ରରେ ଲମ୍ବା ଲାଇନରେ ଛିଡା ହୋଇ ନିଜର ମତାଧିକାର ସାବ୍ୟସ୍ତ କରୁଥିବାର ନଜର ଆସିଛନ୍ତି ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଔରଙ୍ଗଜେବ ଲେନରେ ଥିବା ଏନପି ସିନିୟର ସେକେଣ୍ଡାରୀ ସ୍କୁଲରେ ଥିବା ପୋଲିଂ ବୁଥରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ଭୋଟ ଦେବା ପରେ ରାହୁଲ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାକୁ ଭୁଲିନାହାନ୍ତି । ବିମୁଦ୍ରାକରଣ, ଚାଷୀ ସମସ୍ୟା, ଗବର ସିଂ ଟ୍ୟାକ୍ସ ଓ ରାଫେଲ ଡିଲରେ ହୋଇଥିବା ଦୁର୍ନୀତି ବିରୋଧରେ ଏହି ନିର୍ବାଚନ ଲଢେଇ ବୋଲି ସ୍ପଷ୍ଟ କରିଛନ୍ତି ରାହୁଲ । ଘୃଣାଭାବ ନେଇ ମୋଦି ନିର୍ବାଚନ ଲଢୁଥିବା ବେଳେ ଆମେ ଭଲପାଇବାକୁ ସାଥୀ କରି ନିର୍ବାଚନ ମୈଦାନକୁ ଓହ୍ଲାଇଛୁ । ଆମର ବିଶ୍ୱାସ ଘୃଣାଭାବ ଆଗରେ ଭଲପାଇବାର ବିଜୟ ସୁନିଶ୍ଚିତ ହେବ ବୋଲି କହିଛନ୍ତି ରାହୁଲ ।

ସେହିଭଳି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲିର ସିଭିଲ ଲେନରେ ଥିବା ମତଦାନ କେନ୍ଦ୍ରରେ ଭୋଟ ଦେଇଛନ୍ତି । ଅନ୍ୟ ହେଭିୱେଟଙ୍କ ମଧ୍ୟରେ ବୈଦଶିକ ମନ୍ତ୍ରୀ ସୁଷମା ସ୍ୱରାଜ ମଧ୍ୟ ରାହୁଲ ଗାନ୍ଧି ଭୋଟ ଦେଇଥିବା ମତଦାନ କେନ୍ଦ୍ରରେ ନିଜର ଭୋଟ ଦେଇଛନ୍ତି । ଉତ୍ତର-ପୂର୍ବ ଦିଲ୍ଲୀ ଆସନରୁ ବିଜେପିର ପ୍ରାର୍ଥୀ ହୋଇଥିବା ମନୋଜ ବାଜପେୟୀ ଯମୁନା ବିହାରର ୬୦ ନମ୍ବର ବୁଥରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି ।

ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଧ୍ୟ ଗଣତନ୍ତ୍ରର ମହାପର୍ବରେ ନିଜକୁ ସାମିଲ କରିଛନ୍ତି । ହରିୟାଣାର କର୍ଣ୍ଣାଲ ବୁଥରେ ଭୋଟ ଦେଇଛନ୍ତି ମନୋହର ଲାଲ ଖଟ୍ଟର । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ ମଧ୍ୟ ପୂର୍ବ ନିଜାମୁଦ୍ଦିନର ଏକ ବୁଥରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ଶୀଲାଙ୍କୁ ଉତ୍ତର-ପୂର୍ବ ଦିଲ୍ଲୀ ଆସନରୁ ପ୍ରାର୍ଥୀ କରିଛି କଂଗ୍ରେସ । ସେହିଭଳି ଚଳିତ ନିର୍ବାଚନରେ ଚର୍ଚ୍ଚାରେ ରହିଥିବା ବିଜେପି ପ୍ରାର୍ଥୀ ସ୍ୱାଧୀ ପ୍ରଜ୍ଞା ମଧ୍ୟ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । କଂଗ୍ରେସର ହେଭିୱେଟ ନେତା ତଥା ମଧ୍ୟପ୍ରଦେଶର ଗୁନା ଆସନରୁ ପ୍ରାର୍ଥୀ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ନିଜକୁ ଗଣତନ୍ତ୍ରର ମହାପର୍ବରେ ନିଜକୁ ସାମିଲ କରିଛନ୍ତି ।