ପୁରୀରେ ମୁହାଁମୁହିଁ ହେବେ ସୁନୀଲ ମହାନ୍ତି ଓ ଜୟନ୍ତ ଷଡଙ୍ଗୀ । ଦିଗପହଣ୍ଡିରେ ବିପ୍ଳବଙ୍କୁ ଟକ୍କର ଦେବେ ସିଦ୍ଧାନ୍ତ । ନୂଆପଡାରେ ଶରତ ଓ ରାଜେନ୍ଦ୍ର ସୁପରଫାଇଟ୍

198

କନକ ବ୍ୟୁରୋ: ଚଳିତ ନିର୍ବାଚନ, ପୂର୍ବ ନିର୍ବାଚନଠାରୁ ଟିକେ ନିଆରା ହେବାକୁ ଯାଉଛି । ଏଥର ଏକାଧିକ ବିଧାନସଭା ଆସନରେ ହେଭିୱେଟଙ୍କ ମଧ୍ୟରେ ଲଢ଼େଇ ହେବ ବୋଲି କୁହାଯାଉଛି । ଯାହା ପ୍ରଚାର ମଇଦାନକୁ ସରଗରମ କରିବ ।

  • ବିଧାନସଭା ପାଇଁ ହେବ ବଡ ଲଢ଼େଇ
  • ମଇଦାନରେ ମୁହାଁମୁହିଁ ହେବେ ହେଭିୱେଟ୍

ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ, କେତେକ ବିଧାନସଭା ଆସନରେ ବଡ ଲଢ଼େଇ ହେବ ବୋଲି କୁହାଯାଉଛି । ବିଶେଷକରି ଯେଉଁ ସବୁ ଆସନରେ ରାଜନୈତିକ ଦଳ ହେଭିୱେଟକୁ ପ୍ରାର୍ଥୀ କରିଛନ୍ତି, ସେହି ଆସନରେ ବଡ ଲଢ଼େଇ ହେବ ବୋଲି କୁହାଯାଉଛି ।

  • ପୁରୀରେ ହେବ ସୁପରଫାଇଟ୍
  • ସୁନୀଲ ବନାମ ଜୟନ୍ତ

ପୁରୀ ବିଧାନସଭା ଆସନରୁ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କୁ ବିଜେପି ପୁଣି ଥରେ ପ୍ରାର୍ଥୀ କରିବା ପରେ, ଏହି ଆସନରେ ବଡ ଲଢ଼େଇ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । କାରଣ, ଏହି ଆସନରୁ ସୁନୀଲ ମହାନ୍ତିଙ୍କୁ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ତେବେ ଉଭୟ ପୁରୀର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି । ଅନ୍ୟପଟେ ନୂଆପଡା ବିଧାନସଭା ଆସନରେ ପିସିସି ସଭାପତି ଶରତ ପଟ୍ଟନାୟକ ଓ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆଙ୍କ ମଧ୍ୟରେ ଲଢ଼େଇ ହେବ । ଦୁହେଁ ହେଭିୱେଟ ହୋଇଥିବାରୁ ଓ ରାଜେନ୍ଦ୍ରଙ୍କୁ ତାଙ୍କ ଦଳର ଏକ ଗୋଷ୍ଠୀ ବିରୋଧ କରୁଥିବାରୁ ସେହି ଆସନରେ ଶରତ କଡା ଟକ୍କର ଦେବେ ବୋଲି କୁହାଯାଉଛି ।

ସେହିପରି ଗଞ୍ଜାମ ଜିଲ୍ଲାର ଚର୍ଚ୍ଚିତ ବିଧାନସଭା ଆସନ ଦିଗପହଣ୍ଡିରୁ ଅଭିନେତା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ବିଜେପି ମଇଦାନକୁ ଓହ୍ଲାଇବା ପରେ, ବିଜେଡି ପ୍ରାର୍ଥୀ ବିପ୍ଳବ ପାତ୍ରଙ୍କ ସହ ଏଥର ଲଢ଼େଇ ଜୋରଦାର ହେବ ବୋଲି ଚର୍ଚ୍ଚା ହେଉଛି । ତା ସହ ବଲାଙ୍ଗୀର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ଓ ବିଜେଡି ପ୍ରାର୍ଥୀ କଳିକେଶ ସିଂଦେଓଙ୍କ ମଧ୍ୟରେ ରୋଚକ ଲଢ଼େଇ ହେବାକୁ ଯାଉଛି । ସମରେନ୍ଦ୍ରଙ୍କ ବାପା ନରସିଂହଙ୍କ ସହ ମିଶି ସମରସଜ୍ଜା କରୁଥିବାବେଳେ, କଳିକେଶ ପ୍ରଜାମେଳି କରି ବିଜୟୀ ହେବାକୁ ପ୍ରୟାସ ଚଳାଇଛନ୍ତି ।

ତେବେ ଏହି ସବୁ ଆସନ ବ୍ୟତୀତ ଚାନ୍ଦବାଲିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବିଧାୟକ ବ୍ୟୋମକେଶ ରାୟ, ଝାରସୁଗୁଡାରେ ବିଧାୟିକା ଦୀପାଳି ଦାସ ଓ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ, ବ୍ରଜରାଜନଗରରେ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ଓ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି, ନର୍ଲାରେ ଭୂପିନ୍ଦର ସିଂ ଓ ଭକ୍ତ ଚରଣ ଦାସଙ୍କ ମଧ୍ୟରେ ଜୋରଦାର ଲଢ଼େଇ ହେବ ।