ମୈଦାନରେ ଶେଷ ଲଢେଇ: ବଡ ନେତାଙ୍କ ଭାଗ୍ୟ ପରୀକ୍ଷା

428

କନକ ବ୍ୟୁରୋ: ଆଜି ୨୦୨୪ ମତଦାନର ଶେଷ ଦିନ । ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଚାଲିଛି । ୬ ଲୋକସଭା ଓ ୪୨ ବିଧାନସଭାରେ ମତଦାନ ଜୋରଦାର ଚାଲିଛି । ସକାଳୁ ବିଭିନ୍ନ ବୁଥରେ ଭୋଟିଂ ପ୍ରକ୍ରିୟା ଜାରି ରହିଛି । ତେବେ ଶେଷ ପର୍ଯ୍ୟାୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜରେ ଭୋଟିଂ ଚାଲିଥିବା ବେଳେ ଚତୁର୍ଥ ପର୍ଯ୍ୟାୟରେ ମୋଟ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେଉଛି । ଆଉ ଏହାରି ଭିତରେ ଅନେକ ହେଭିୱେଟ୍ ନେତାଙ୍କ ଭାଗ୍ୟ ପରୀକ୍ଷା ମଧ୍ୟ ହେଉଛି । ଆଜି ଜନତା ନେତାଙ୍କ ଭାଗ୍ୟନିର୍ଦ୍ଧାରଣ କରୁଛନ୍ତି ଆଉ ସେମାନଙ୍କ ରାୟ ଇଭିଏମରେ ଦେଉଛନ୍ତି ।

ତେବେ ହେଭିୱେଟ ନେତାଙ୍କ ମଧ୍ୟରେ କେନ୍ଦ୍ରାପଡାରେ ବୈଜୟନ୍ତ ପଣ୍ଡାଙ୍କ ଭାଗ୍ୟ ପରୀକ୍ଷା ହେଉଛି । ୨୦୧୯ରେ ବୈଜୟନ୍ତ ବିଜେଡିର ଅନୁଭବ ମହାନ୍ତିଙ୍କ ଠାରୁ ହାରିଥିବା ବେଳେ ଏଥର ପୁଣି ବିଜେପି ବୈଜୟନ୍ତଙ୍କୁ ଭରସା କରି କେନ୍ଦ୍ରାପଡାର ଯୋଦ୍ଧା କରିଛି । ଆଉ ସେ ବିଜେଡିର ଅଂଶୁମାନ ମହାନ୍ତିଙ୍କ ସହ ଲଢେଇ କରୁଛନ୍ତି । ସେପଟେ ବାଲେଶ୍ୱରରୁ ପ୍ରତାପ ଷଡ଼ଙ୍ଗୀଙ୍କ ପାଇଁ ବି ବଡ଼ ପରୀକ୍ଷା । କାରଣ ମୈଦାନରେ ଲେଖାଶ୍ରୀ ସାମନ୍ତ ସିଂହାର ଓ ଶ୍ରୀକାନ୍ତ ଜେନା ଅଛନ୍ତି ।

ହେଭିୱେଟଙ୍କ ମଧ୍ୟରେ ମନମୋହନ ସାମଲ ସହ ବ୍ୟୋମକେଶ ରାୟଙ୍କ ଲଢେଇ ହେଉଛି । ତେବେ ପ୍ରତାପ ଦେବ, ପ୍ରମିଳା ମଲ୍ଲିକ, ସ୍ୱରୂପ ଦାସ. ସୁକାନ୍ତ ନାୟକ, ନିରଞ୍ଜନ ପଟ୍ଟନାୟକ, ପର୍ଶୁରାମ ଧଡା, ପ୍ରତାପ ଜେନା, ଶର୍ମିଷ୍ଠା ସେଠୀ, ଆକାଶ ଦାସନାୟକ, ଅରିନ୍ଦମ ରାୟ, ପ୍ରଭାତୀ ପରିଡାଙ୍କ ପରି ବହୁ ବଡ ବଡ ନେତାଙ୍କ ଭାଗ୍ୟପରୀକ୍ଷା ଚାଲିଛି । ଯାହାର ଫଳାଫଳ ଜୁନ ୪ ତାରିଖରେ ପ୍ରକାଶ ପାଇବ । ସେଦିନ ହିଁ ଜଣାପଡିବ ଜନତା କାହାକୁ ଦେଇଛନ୍ତି ଭୋଟ୍ କାହା ମୁଣ୍ଡରେ ଢାଳିଛନ୍ତି ସୁନା କଳସ ।