କନକ ବ୍ୟୁରୋ: ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ସରଗରମ ହୋଇଛି ପ୍ରଚାର । ଆଉ ମଇଦାନକୁ ଓହ୍ଲାଇଛନ୍ତି ବଡ ବଡ ନେତା । ଖୋର୍ଦ୍ଧା ବୋଲଗଡରେ ଘର ଘର ବୁଲୁଛନ୍ତି ବିଜେପି ସାଂସଦ ଅପରାଜିତା ଷଢ଼ଙ୍ଗୀ, କାରଣ ବିଜେପି ପ୍ରାର୍ଥୀଙ୍କ ପାଇଁ ଏଥର ଆହ୍ୱାନ ସେତେ ସହଜ ନୁହେଁ ।
ଏପଟେ ନୟାଗଡରେ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବା ମନ୍ତ୍ରୀଙ୍କ ପାଇଁ ଏକ ବଡ ଆବଶ୍ୟକତା । କାରଣ ଏବେ ଦଳରେ ପତିଆରାର ଲଢ଼େଇ ବି ଚାଲିଛି । ଯାହାର ଯେତେ ପ୍ରାର୍ଥୀ ବିଜୟୀ ହୋଇ ଆସିବେ ସେହି ନେତାର ଦବଦବା ବି ସେତେ ବଢ଼ିବ ।
ବାଲେଶ୍ୱର ନିର୍ବାଚନ ମଣ୍ଡଳୀରୁ ଉପନିର୍ବାଚନରେ ବିଜୟୀ ହୋଇ ବିଧାୟକ ବନିଥିବା ସ୍ୱରୂପ ଦାସଙ୍କ ପାଇଁ ପଂଚାୟତ ନିର୍ବାଚନ ଏକ ବଡ ଆହ୍ୱାନ । ଜିଲ୍ଲାରେ ଦଳୀୟ ସ୍ଥିତି ନେଇ ନେତାମାନେ ଆଶ୍ୱସ୍ତ ଥିଲେ ବି ନେତା ନେତାଙ୍କ ଭିତରେ ଥିବା ଅର୍ନ୍ତଦ୍ୱନ୍ଦ୍ୱ କେତେବେଳେ କଣ ପରିସ୍ଥିତି ସୃଷ୍ଟି କରି ତାକୁ ନେଇ ଆଶଙ୍କା ବି ରହିଛି । ସେଥିପାଇଁ ନିଜେ ସ୍ୱରୂପ ଘର ଘର ବୁଲି ଭୋଟ ମାଗୁଛନ୍ତି ।
ସେପଟେ ସାନଖେମୁଣ୍ଡ. କଂଗ୍ରେସ ନେତା ରମେଶ ଜେନାଙ୍କ ଗଡରେ ବଜେଡି ପଶିବା ପାଇଁ ଉଦ୍ୟମ କରିଛି । ଆସ୍କା ସାଂସଦ ପ୍ରମିଳା ବିଷୋୟୀ , ବିଧାୟକ ଅନନ୍ତ ଜେନା ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ।
ଏଥର ପଂଚାୟତ ଲଢ଼େଇରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁପସ୍ଥିତି ଜଳ ଜଳ ହୋଇ ଦେଖା ଯାଉଥିଲା । କିନ୍ତୁ ବିଜେପି କହିଛି ଡିଜିଟାଲ ପ୍ରଚାରକୁ ଆସୁଛନ୍ତି ଧର୍ମେନ୍ଦ୍ର ।ଗୁରୁବାର ଦଳୀୟ ପ୍ରାର୍ଥୀ ଓ ନେତାଙ୍କ ସହ ଭର୍ଚୁଆଲ ମୋଡରେ ଆଲୋଚନା ବି କରିଛନ୍ତି । କହିଛନ୍ତି , ଦଳୀୟ କର୍ମୀ ଓ ନେତା ଡୋର ଟୁ ଡୋର ଏବଂ ଫୋନ ଟୁ ଫୋନ ପ୍ରଚାର କରନ୍ତୁ । ଏବଂ ମୋଦିଙ୍କ ସଫଳତା ଲୋକଙ୍କ ପାଖରେ ପହଁଚାନ୍ତୁ । ସେପଟେ ବିଜେଡି କହିଛି, ସେମାନେ ଘରକୁ ଯିବା ପୂର୍ବରୁ ବିଜେଡି ଘରେ ପହଁଚି ସାରିଛି ।