ରାଜ୍ୟରେ ପଡିଲାଣି ଜାଡ । ଫୁଲବାଣୀରେ ୭.୮ ଡିଗ୍ରୀ ତଳେ ତାପମାତ୍ରା

ପୁଣି ଖସିଲା ପାରଦ

57

କନକ ବ୍ୟୁରୋ : ପୁଣି ଖସିଲା ପାରଦ। ଓଡିଶାର ସବୁଠାରୁ ଥଣ୍ତା ସହର ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ଆଜି ରହିଛି ୭.୮। ଗତ ୨୪ ତାରିଖରେ ୮ ଓ ୨୫ ତାରିଖରେ ୮.୫ ଥିବା ବେଳେ ଗତକାଲି ଟିକେ ବଢି ୯ ଡିଗ୍ରୀ ଥିଲା। ଆଜି ପୁଣି ପାରଦ ଖସି ଆସିଛି। ଫଳରେ କନ୍ଧମାଳ ଜାଡ଼ରେ ଥରୁଛି। ଓଡିଶାର କାଶ୍ମୀର ଦାରିଙ୍ଗବାଡିର ଆଜିର ତାପମାତ୍ରା ୮.୨ ରହିଛି। ପ୍ରବଳ ଶୀତ ସାଙ୍ଗକୁ ସକାଳେ ଓ ସନ୍ଧ୍ୟାରେ କୁହୁଡି ଲାଗି ରହୁଛି। ଯାହା ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଶୀତର ପ୍ରକୋପ ଏତେ ମାତ୍ରାରେ ରହୁଛି ଯେ ସକାଳ ୯ଟା ପର୍ଯ୍ୟନ୍ତ ପଦାକୁ ବାହାରିବା ସମ୍ଭବ ହେଉ ନାହିଁ। କେବଳ କନ୍ଧମାଳର ନୁହେଁ ବରଂ ରାଜ୍ୟର ଅନେକ ଜିଲ୍ଲାରେ ଶୀତ ଅନୁଭୂତ ହେଉଛି । ପରିସ୍ଥିତି ଏପରି ହେଲାଣି ଯେ, ଲୋକମାନେ ସକାଳ ସମୟରେ ବାହାରକୁ ବାହାରି ପାରୁନାହାନ୍ତି ।

 

ଯଦିଓ ବାହାରୁଛନ୍ତି ତେବେ ନିଆଁ ଜାଳି ବସୁଥିବା ଦେଖାଯାଉଛି । ମିଳିଥିବା ସୂଚନା ଅନୁସାରେ ଆଗକୁ ଶୀତର ପ୍ରକୋପ ଲାଗି ରହିବ । ତେବେ କନ୍ଧମାଳରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଛି । ବିଶେଷ କରି ଜଙ୍ଗଲ ପାଖ ଗାଁରେ ବସବାସ କରୁଥିବା ଲୋକଙ୍କ ଅବସ୍ଥା ନ କହିବା ଭଲ। ସେସବୁ ସ୍ଥାନରେ ଦିନ ୧୨ଟା ପର୍ଯ୍ୟନ୍ତ ଶୀତ ଲାଗି ରହୁଛି। ଜିଲ୍ଲାର ବାଲିଗୁଡା, ତୁମୁଡିବନ୍ଧ, କୋଟଗଡ, ରାଇକିଆ, ଗୋଛାପଡା, ବାଲନ୍ଦାପଡା, ଫିରିଙ୍ଗିଆ, ବ୍ରାହ୍ମଣୀଗାଁ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୮ରୁ ୧୦ ମଧ୍ୟରେ ରହିଛି। ଗତକାଲି ପରି ଆଜି ମଧ୍ୟ ୧୬ଟି ସହରର ତାପମାତ୍ରା ୧୫ ଡିଗ୍ରି ତଳେ ରହିଥିଲା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଖସିବ। ମାଲକାନଗିରି ସମେତ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲକା କୁହୁଡ଼ି ହେବାର ସମ୍ଭାବନା ରହିଛି।