ନିର୍ବାଚନ ବେଳେ ଉଡୁଛି ଟଙ୍କା, ଭାସୁଛି ମଦ । ସିଇଓଙ୍କ ସୂଚନା, ୨୫୪ କୋଟି ଟଙ୍କାର ସମ୍ପତ୍ତି ଜବତ । ୩୧ ଲକ୍ଷ ଲିଟର ମଦ ଓ ୭୩ କୋଟି ଟଙ୍କାର ଡ୍ରଗସ୍ ସିଜ୍

283

କନକ ବ୍ୟୁରୋ: ନିର୍ବାଚନ ପାଇଁ ଓଡିଶାରେ ଉଡୁଛି କି ଟଙ୍କା? ଭୋଟ୍ ପାଇଁ ହେଉଛି କି ମଦର ବନ୍ୟା? ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟରେ ଜବତ ଟଙ୍କା ଓ ମଦ ସମ୍ପର୍କିତ ସୂଚନାରୁ ଏଭଳି ଆଶଙ୍କା ସୃଷ୍ଟି ହେଉଛି । ଅର୍ଥବଳ ଓ ନିଶାଦ୍ରବ୍ୟ ଯୋଗାଇ ଭୋଟରଙ୍କୁ ପ୍ରଭାବିତ କରିବାକୁ ରାଜନୈତିକ ଦଳ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି । ସିଇଓଙ୍କ ସୂଚନା ଅନୁସାରେ ରାଜ୍ୟରେ….

  • ମୋଟ ୨୫୪ କୋଟି ଟଙ୍କାର ସଂପତ୍ତି ଜବତ
  • ନଗଦ ୧୭ କୋଟି ୧୮ ଲକ୍ଷ ଟଙ୍କା ଜବତ ହୋଇଛି
  • ୩୧ ଲକ୍ଷ ଲିଟର ମଦ ଓ ୭୩ କୋଟି ଟଙ୍କାର ଡ୍ରଗ୍ସ ଜବତ
  • ୧୪ କୋଟି ଟଙ୍କା ମୂଲ୍ୟର ସୁନାଗହଣା ଜବତ କରିଛି ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ

ନିର୍ବାଚନକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ କଡାକଡି ଯାଞ୍ଚ ଚାଲିଛି । ଆଉ ଗାଡି ଯାଞ୍ଚ ସମୟରେ ଫ୍ଲାଇଙ୍ଗ୍ ସ୍କାଡ ବିପୁଳ ପରିମାଣର ନଗଦ ଟଙ୍କା, ମଦ, ଡ୍ରଗସ ଓ ସୁନା ଅଳଙ୍କାର ଜବତ କରିଛନ୍ତି ।

  • ବରଗଡରୁ ସର୍ବାଧିକ ଟଙ୍କା ଓ ମଦ ଜବତ
  • ନିର୍ବାଚନ ହିଂସା ଉପରେ ରହିଛି ସ୍ୱତନ୍ତ୍ର ନଜର

ଦ୍ୱିତୀୟ ପର୍ଯ୍ୟାୟରେ ବରଗଡ, ବଲାଙ୍ଗୀର, ସୁନ୍ଦରଗଡ, କନ୍ଧମାଳ ଓ ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଏହି ସଂସଦୀୟ କ୍ଷେତ୍ରରେ ଥିବା ୩୫ ଲୋକସଭା ଆସନରେ ମତଦାନ ହେବ । ଏସବୁ ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବ୍ୟାପକ ଅର୍ଥବଳ ଓ ନିଶାଦ୍ରବ୍ୟ ଯୋଗାଯାଉଥିବା ଅଭିଯୋଗ ହୋଇଛି । ଏହି ତାଲିକାର ଶୀର୍ଷରେ ରହିଛି ବରଗଡ ଲୋକସଭା ଆସନ ।

ବରଗଡରେ ସର୍ବାଧିକ ୧ କୋଟି ୨୬ ଲକ୍ଷ ଟଙ୍କା ଓ ୮ ଲକ୍ଷ ଲିଟର ମଦ ଜବତ ହୋଇଛି । କନ୍ଧମାଳରୁ ନଗଦ ୩୬ ଲକ୍ଷ ଟଙ୍କା, ଆସ୍କାରୁ ନଗଦ ୧୩ ଲକ୍ଷ ଟଙ୍କା ଜବତ କରିଛି ଫ୍ଲାଇଂ ସ୍କ୍ାଡ । ନଗଦ ଟଙ୍କା, ନିଶାଡିଙ୍କୁ ନିଶା ଓ ଜନତାଙ୍କୁ ଉପହାର ଛଡା ପ୍ରାକ ନିର୍ବାଚନ ହିଂସା ମଧ୍ୟ ଦେଖିବାକୁ ମିଳିଛି । ଖଲ୍ଲିକୋଟ ହିଂସା ମାମଲାର ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେଠାରେ ଶୃଙ୍ଖଳାର ସହ ମତଦାନ ପାଇଁ ଆଡିସନାଲ ଡିଜି ରାଙ୍କର ଜଣେ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

ସୂଚନାଯୋଗ୍ୟ ଯେ, ରାଜ୍ୟର ୫ ଲୋକସଭା ଆସନ ଓ ୩୫ ବିଧାନସଭା ଆସନରେ ମେ’ ୨୦ ତାରିଖରେ ମତଦାନ ହେବ । ମୋଟ ୯,୧୬୨ ବୁଥରେ ମତଦାନ ହେବାକୁ ଥିବା ବେଳେ ଭୋଟ ଦେବେ ୭୯ ଲକ୍ଷ ୬୯ ହଜାରରୁ ଅଧିକ ଭୋଟର । ସେଥି ମଧ୍ୟରୁ ୧୦୪୧ଟି ବୁଥ ମହିଳା ପୋଲିଂ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେବ । ୨୦ ପ୍ରତିଶତ ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ଶୃଙ୍ଖଳାର ସହ ମତଦାନ ପାଇଁ ସେଠାରେ ୧୦୨ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହେବେ ।