କନକ ବ୍ୟୁରୋ: ପିପିଲି ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ରଥୀ ମହାରଥୀ । କାରଣ ଏହି ନିର୍ବାଚନ, ମର୍ଯର୍୍ୟାଦାର ନିର୍ବାଚନ । ଏହା ସରକାର ଗଠନ କିମ୍ବା ସରକାର ଭାଙ୍ଗି ପାରିବ ନାହିଁ, କିନ୍ତୁ ଓଡିଶାର ଜନମତର ଏକ ପ୍ରତିଫଳନ ହେବ ବୋଲି କୁହାଯାଉଛି । ତେଣୁ ନିର୍ବାଚନ ମଇଦାନକୁ ନିଜେ ନବୀନ ପଟ୍ଟନାୟକ ମଧ୍ୟ ଓହ୍ଲାଇବେ । ଅବଶ୍ୟ ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିବେ ନବୀନ । ପିପିଲି ବିଜେଡିର ଏକ ଗଡ ହୋଇଥିବାରୁ ନବୀନ ନିଜେ ପିପିଲି ପ୍ରଚାରର ମଙ୍ଗ ଧରିବେ । ସେପଟେ ବିଜେପି ପ୍ରଚାରର ନେତୃତ୍ୱ ନେବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗତ ପିପିଲି ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଭଲ ପ୍ରଦର୍ଶନ କରିଥିଲେ । ତେଣୁ ବିଜେପି ମଧ୍ୟ ପ୍ରଚାରକୁ ଜୋରଦାର କରିବାକୁ ଯାଉଛି । ସେପଟେ କଂଗ୍ରେସ ମଧ୍ୟ ନିଜ ରଣନୀତି ପ୍ରସ୍ତୁତ କରୁଛି ।
ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଗଡରେ ପୁଅ ରୁଦ୍ର ମହାରଥୀଙ୍କ ନିର୍ବାଚନୀ କ୍ୟାମ୍ପେନ କରିଛନ୍ତି । ସମର୍ଥକଙ୍କ ଗହଣରେ ପିପିଲି ଓ ଡେଲାଙ୍ଗର ପଂଚାୟତରୁ ପଂଚାୟତ ବୁଲି ଭୋଟ ମାଗିଛନ୍ତି ରୁଦ୍ର । ବିଜେଡିର ଗଡରେ ବିକାଶର ଧାରାକୁ ପାଥେୟ କରି ପୁଣି ଆସନ କବଜା ଲକ୍ଷ୍ୟରେ ରହିଛନ୍ତି ବିଜେଡିର ବିଧାୟକ ପ୍ରାର୍ଥୀ ରୁଦ୍ର ମହାରଥୀ । ତାଙ୍କ ସହ ବିଜେଡିର ତୁଙ୍ଗ ନେତାମାନେ ବିଭିନ୍ନ ପଂଚାୟତରେ ବସି ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି ।
ଅନ୍ୟପଟରେ ଗତ ନିର୍ବାଚନରେ ପାଖାପାଖି ୭୨ହଜାର ଭୋଟ ପାଇଥିବା ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ମଧ୍ୟ ଏଥର ବିଜେଡିକୁ ଟକ୍କର ଦେବାକୁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ସମର୍ଥକଙ୍କ ଗହଣରେ ବୁଲି ପ୍ରଚାର କରୁଛନ୍ତି ଆଶ୍ରିତ ପଟ୍ଟନାୟକ । ମୋଦିଙ୍କ ବିକାଶ ମନ୍ତ୍ରକୁ ପିପିଲିବାସୀଙ୍କ ପାଖରେ ପହଂଚାଇ ପରିବର୍ତନର ନାରା ଦେଉଛନ୍ତି ।
ଏପଟେ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର ଭିତରେ ପୋଲିସ ଚେକିଂକୁ ଜୋରଦାର କରିଛି । ପିପିଲି ଟୋଲଗେଟ ନିକଟରେ ୨ଜଣ ବ୍ୟକ୍ତିଙ୍କ ଠାରୁ ୫୦ଲକ୍ଷ ଟଙ୍କା ଜବତ ପରେ ପୋଲିସ ଏହି ଘଟଣାକୁ ବେଶ ଗୁରୁତର ସହ କଡା ଚେକିଂ କରୁଛି । ନିର୍ବାଚନୀ ପ୍ରଚାର ବେଳେ କୋଭିଡ କଟକଣାକୁ ଯେପରି କେହି ଅମାନ୍ୟ ନକରନ୍ତି ସେ ଦିଗରେ ମଧ୍ୟ ପୋଲିସ ପ୍ରଶାସନ ସଜାଗ ରହିଛି । ଏହାରି ଭିତରେ ବିଜେଡି ସୁପ୍ରିମୋ ଭର୍ଚୁଆଲ ମୋଡରେ ରୁଦ୍ରଙ୍କ ପାଇଁ ଭୋଟ ମାଗିବାକୁ ନିଷ୍ପତି ହୋଇଛି । ଖୁବଶୀଘ୍ର ଏନେଇ ତାରିଖ ଘୋଷଣା ହେବ । ସେପଟେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଖୁବଶୀଘ୍ର ନିର୍ବାଚନୀ ପ୍ରଚାରରେ ପିପିଲି ଯିବାର କାର୍ଯ୍ୟକ୍ରମ ରହିଛି ।