କୃଷି ଆନ୍ଦୋଳନକୁ ଡରିଲେଣି ସରକାର । ମଧ୍ୟପ୍ରଦେଶ ବିଧାନସଭା ନିକଟରୁ ୫ କି.ମି ଯାଏ ଟ୍ରାକ୍ଟର, ଟ୍ରଲି ଓ ବଳଦଗାଡିକୁ ବ୍ୟାନ କଲେ ସରକାର । ଅଭିଯୋଗ ଆଣିଲା କଂଗ୍ରେସ

107

କନକ ବ୍ୟୁରୋ : ୨୮ ଡିସେମ୍ବର ଦିନ ମଧ୍ୟପ୍ରଦେଶ ବିଧାନସଭା ଅଧିବେସନ ଆରମ୍ଭ ହେବ । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଭୋପାଳ ଜିଲ୍ଲାପାଳଙ୍କୁ ଏକ ଆଦେଶ ଜାରି କରିଛନ୍ତି । ଯାହାକୁ ନେଇ ରାଜନୀତି ଏବେ ସରଗରମ ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ଏହି ଆଦେଶରେ ଲେଖାଯାଇଛି କି, ୨୮ ଡିସେମ୍ବର ଠାରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେସନ ବେଳେ ବିଧାନସଭାର ୫ କି.ମି ପରସର ମଧ୍ୟରେ କୌଣସି ଭାରିଯାନ ଯେମିତି କି ଟ୍ରାକ୍ଟର, ଟ୍ରକ୍, ଟ୍ରଲି, ଡମ୍ଫର, ଟାଙ୍ଗା, ବଳଦଗାଡି ଯେଭଳି ଯାତାୟତ ନକରେ ତାହା ଉପରେ ଧ୍ୟାନ ଦେବାକୁ ଭୋପାଳ ଜିଲ୍ଲାପାଳଙ୍କୁ ଆଦେଶ ଦିଆଯାଇଛି ।

ସରକାରଙ୍କର ଏଭଳି ଆଦେଶକୁ ନେଇ ଅଭିଯୋଗ କରିଛି କଂଗ୍ରେସ । କଂଗ୍ରେସ କହିଛି କି ସରକାର କୃଷକ ଆନ୍ଦୋଳନକୁ ଭୟ କରିବା ଆରମ୍ଭ କରିଛନ୍ତି । ଯେଉଁଥିପାଇଁ ଏଭଳି ପଦକ୍ଷେପ ନିଆଯାଉଛି । କଂଗ୍ରେସ ବିଧାୟକ ତଥା ପୂର୍ବ ରାଜ୍ୟମନ୍ତ୍ରୀ ଜିତୁ ପଟୱାରୀ ତାଙ୍କ ଟ୍ୱିଟ୍ରେ ଲେଖିଛନ୍ତି କି ଶିବରାଜ ସରକାର ଦ୍ୱାରା ବିଧାନସଭା ଅଧିବେସନ ପୂର୍ବରୁ ଏଭଳି ନିର୍ଦ୍ଦେଶ କୃଷକ ବିରୋଧୀ ମାନସିକତାକୁ ପଦାରେ ପକାଇଛି । ସରକାରଙ୍କର ଏଭଳି ଏକଛତ୍ରବାଦୀ ନିର୍ଦ୍ଦେଶ କୃଷକ ମାନଙ୍କର ଆନ୍ଦୋଳନକୁ ରୋକିପାରିବ ନାହିଁ । ୨୮ ଡିସେମ୍ବରକୁ ସବୁ ବିରୋଧୀ ବିଧାୟକ ଟ୍ରାକ୍ଟରରେ ବିଧାନସଭା ପହଂଚିବାକୁ ସେ ଅନୁରୋଧ କରିଛନ୍ତି ।

ଆପଣଙ୍କୁ କହିରଖୁ କି ସରକାରଙ୍କର ଏଭଳି ନିର୍ଦ୍ଦେଶ ପୂର୍ବରୁ କଂଗ୍ରେସ ଘୋଷଣା କରିଥିଲା କି ବିଧାନସଭାର ଅଧିବେସନର ପ୍ରଥମ ଦିନରେ ସମସ୍ତ କଂଗ୍ରେସ ବିଧାୟକ ମାନେ ଟ୍ରଲି, ଟ୍ରାକ୍ଟର ଓ ବଳଦଗାଡିରେ ବିଧାନସଭା ପହଂଚିବେ । ଏହା ସହ କଂଗ୍ରେସ ତା’ର ବଳ ଦେଖାଇବାକୁ ରାଜ୍ୟରେ ଥିବା ବିଭିନ୍ନ କୃଷକ ସଂଗଠନ ମାନଙ୍କ ସହ ଆଲୋଚନା ଜାରି ରଖିଛି । ବିଧାନସଭା ଚାଲିଥିବା ବେଳେ କୃଷକ ମାନଙ୍କୁ ବିଧାନସଭା ଆଗରେ ବିରୋଧ ପ୍ରଦର୍ଶନ କରିବାକୁ କଂଗ୍ରେସ ପ୍ରସ୍ତୁତି ଚଳାଇଛି । ଅନ୍ୟପଟେ ମଧ୍ୟପ୍ରଦେଶ ସରକାର ଚେତାବନୀ ଦେଇଛି କି ଯଦି କଂଗ୍ରେସ ବିଧାନସଭା ଚାଲିଥିବା ବେଳେ ଆନ୍ଦୋଳନ କରେ ଓ ବିଧାନସଭା ଆଗରେ ଭିଡ ସୃଷ୍ଟି କରିବାକୁ ଚେଷ୍ଟା କରେ ତେବେ ସେମାନଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।