କନକ ବ୍ୟୁରୋ: ଲଗାଣ ବର୍ଷା ଯୋଗୁଁ ଉତ୍ତର ଭାରତରେ ଜଳ ପ୍ରଳୟ । ଉତ୍ତର ଭାରତର ଅଧିକାଂଶ ରାଜ୍ୟରେ ବନ୍ୟା ସ୍ଥିତି । ହିମାଚଳ ପ୍ରଦେଶରୁ ଆରମ୍ଭ କରି ପଞ୍ଜାବ ସବୁଠୁ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏଯାଏଁ ବନ୍ୟା ୧୪ରୁ ଅଧିକଙ୍କ ଜୀବନ ନେଲାଣି । ଏନଡିଆରଏଫ ଉଦ୍ଧାରକାର୍ଯ୍ୟରେ ଲାଗିଛି । ସେପଟେ ଗୁଜରାଟର କେତେକ ଜାଗା ଓ ଆସାମରେ ମଧ୍ୟ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଗୃହମନ୍ତ୍ରୀ ଅମିତ ଶାହା ବନ୍ୟା ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ସ୍ଥିତି ପଚାରି ବୁଝିଛନ୍ତି ।

Advertisment
  • ଉତ୍ତର ଭାରତରେ ଜଳ ପ୍ରଳୟ
  • ବନ୍ୟା ନେଲାଣି ୧୪ରୁ ଅଧିକ ଜୀବନ

ମୌସୁମୀ ପୁରା ସକ୍ରିୟ ହୋଇପଡ଼ିିଥିବା ବେଳେ ଲଗାଣ ବର୍ଷାରେ ବେହାଲ ହୋଇପଡ଼ିଛି ପୁରା ଉତ୍ତର ଭାରତ । ପ୍ରବଳ ବର୍ଷା ପରେ ବନ୍ୟା ସ୍ଥିତି । ଉତ୍ତର ଭାରତର ଅଧିକାଂଶ ରାଜ୍ୟ ଦିଲ୍ଲୀ, ହରିୟାଣା, ହିମାଚଳ ପ୍ରଦେଶ,ଉତ୍ତରାଖଣ୍ଡ, ରାଜସ୍ଥାନ, ପଞ୍ଜାବ, ଜମ୍ମୁ-କାଶ୍ମୀର ସବୁଠି ବନ୍ୟା ସ୍ଥିତି ଦେଖାଦେଇଛି । ଜୁଲାଇ ମାସର ପ୍ରଥମ ୮ ଦିନରେ ୨୪୩.୨ ମିଲିମିଟର ବର୍ଷା ହୋଇଛି, ଯାହା ସ୍ୱାଭାବିକ ଠାରୁ ୨ ମିଲିମିଟର ଅଧିକ । ଜଳପ୍ରଳୟରେ ଏଯାଏଁ ୧୪ରୁ ଅଧିକ ଜୀବନ ଯାଇଥିବା ବେଳେ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି ।

ହିମାଚଳ ପ୍ରଦେଶରେ ଲଗାଣ ବର୍ଷାରେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ଏହାସହ ୫ରୁ ଅଧିକଙ୍କ ଜୀବନ ଗଲାଣି । ମଣ୍ଡିରେ ୫୦ ବର୍ଷର ଏକ ପୁରୁଣା ପୋଲ ବନ୍ୟା ଜଳରେ ଭାଙ୍ଗିପଡ଼ିଛି । କୁଲୁରେ ବିଅସ୍ ନଦୀ ଜଳ ବିପଦ ସଙ୍କେତ ଛୁଇଁ ସାରିଲାଣି । ଚଣ୍ଡିଗଡ଼-ମନାଲି ଜାତୀୟ ରାଜପଥ ୩ କୁଲୁରେ ଧୋଇଯାଇଛି ।

  • ଦିଲ୍ଲୀରେ ରେକର୍ଡ ଭାଙ୍ଗିଲା ବର୍ଷା
  • ୪୦ ବର୍ଷ ଭିତରେ ସବୁଠୁ ଅଧିକ ବର୍ଷା

ରାଜଧାନୀ ଦିଲ୍ଲୀ ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏଥର ଏତେ ବର୍ଷା ହୋଇଛି ଯେ, ଦିଲ୍ଲୀରେ ୪୦ ବର୍ଷର ରେକର୍ଡ ଭାଙ୍ଗିଛି । ମାତ୍ର ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୧୫୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଭାରତୀୟ ପାଣିପାଗ ବିଭାଗର କହିବା ଅନୁସାରେ ୧୯୮୨ ମସିହା ଜୁଲାଇ ପରଠାରୁ ଦିଲ୍ଲୀରେ ଏତେ ପରିମାଣର ବର୍ଷା ହୋଇଛି ।

ଜମ୍ମୁ-କାଶ୍ମୀରରେ ଲଗାଣ ବର୍ଷା ଯୋଗୁଁ ଝେଲମ ନଦୀର ଜଳସ୍ତର ବଢ଼ିଚାଲିଛି । ଏହାସହ ଭୂସ୍ଖଳନ ମଧ୍ୟ ଘଟିଛି । ବର୍ଷା ଓ ଭୂସ୍ଖଳନ ଯୋଗୁଁ ଅମରନାଥ ଯାତ୍ରାକୁ ଲଗାତର ଦ୍ୱିତୀୟ ଦିନ ପାଇଁ ବନ୍ଦ ରଖାଯାଇଛି । ଅନ୍ୟପଟେ ଭୂସ୍ଖଳନ ଯୋଗୁଁ ୨ ଯବାନଙ୍କ ମଧ୍ୟ ଜୀବନ ଯାଇଥିବାର ସୂଚନା ମିଳିଛି ।

ପଞ୍ଜାବରେ ଜୋରଦାର ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜଳ ଭରିଯାଇଛି । ଅମ୍ରିତସର, ଲୁଧିଆନା, ପଟିଆଲା, ପଠାନକୋଟ ପରି ଅଧିକାଂଶ ଜାଗାରେ ପ୍ରବଳ ବର୍ଷା ହୋଇଛି । କେତେକ ସ୍ଥାନରେ ଘରେ ପାଣି ପଶିଯାଇଛି । ହରିୟାଣାରେ ମଧ୍ୟ ଲଗାଣ ବର୍ଷା ସ୍ଥିତି ବିଗାଡ଼ି ଦେଇଛି । ରାଜସ୍ଥାନରେ ଲଗାଣ ବର୍ଷା ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବନ୍ୟା ଜଳ ସମ୍ପର୍କିତ ଘଟଣାରେ ଏଯାଏଁ ସେଠାରେ ୪ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ସେପଟେ ଉତରାଖଣ୍ଡରେ ବର୍ଷା ଯାଗୁଁ ବନ୍ୟା ସହ ଭୂସ୍ଖଳନ ଘଟୁଛି । ବନ୍ୟା ସ୍ଥିତି ନେଇ ଗୃହମନ୍ତ୍ରୀ ଅମିତ ଶାହା ବୈଠକ କରିବା ସହ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି ।