ବାତ୍ୟା ୟାସ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ : ଏସଆରସିଙ୍କ ସୂଚନା, ନୀଳଗିରି ଅତିକ୍ରମ କରିବା ପରେ ବର୍ଷା, ପବନ ଜାରି

381

କନକ ବ୍ୟୁରୋ : ବାତ୍ୟା ୟାସର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା କହିଛନ୍ତି, ରେମୁଣା- ବାହାନଗା- ସଦର ମଧ୍ୟରେ ଲ୍ୟାଣ୍ଡଫଲ କରିଛି ୟାସ୍ । ଲ୍ୟାଣ୍ଡଫଲ ଶେଷ ହେବା ପରେ ଭଦ୍ରକ ବାଲେଶ୍ୱର ବାହାନଗା, ସଦର, ରେମୁଣାରେ ବର୍ଷା କମିଛି । ନୀଳଗିରିରେ ବର୍ଷା ଓ ପବନ ବଢ଼ୁଛି । ବାତ୍ୟା ୨ ଘଂଟା ଭିତରେ ବାଲେଶ୍ୱରରୁ ବାହାରି ମୟୂରଭଞ୍ଜରେ ପ୍ରବେଶ କରିବ । ଶିମିଳିପାଳ ରେଞ୍ଜରେ ବାତ୍ୟାର ସ୍ଥିତି ଅନୁଧ୍ୟାନ କରାଯାଉଛି । ଶିମିଳିପାଳରେ ବର୍ଷା ହେଉଛି ।

ତେଣୁ ବୁଢ଼ାବଳଙ୍ଗ ନଦୀରେ ବନ୍ୟା ଆସିବା ଆଶଙ୍କା ରହିଛି । ବାରିପଦାଠାରେ ଜଳ ୨୧ ଫୁଟରେ ଅଛି । ୬ ମିଟର ବିପଦ ସଂକେତ ତଳେ ଅଛି । ମୟୂରଭଞ୍ଜ ଜିଲ୍ଲାପାଳ ବୁଢ଼ାବଳଙ୍ଗ ନଦୀ ପାଖର ତଳିଆ ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ଆଗାମି ୧୨ଘଂଟା ନୀଳଗିରି ଓ ମୟୂରଭଞ୍ଜ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆଏମଡିର ସୂଚନା ଅନୁସାରେ ଘଂଟା ପ୍ରତି ୧୩୦ ରୁ ୧୪୫ କିଲୋମିଟର ବେଗରେ ପବନ ବହିଥିଲା । ସେହିପରି ବହୁତ ଗାଁରେ ପାଣି ପଶିଛି । ବାହାନଗା, ରେମୁଣା , ବାଲେଶ୍ୱର ସଦର , ଧାମରାରେ ପାଣି ପଶିଛି । ଦିନେ ଦୁଇ ଦିନ ଭିତରେ କ୍ଷତି ହିସାବ ଜଣାପଡିଛି ।

ବାତ୍ୟା ୟାସ ଲ୍ୟାଣ୍ଡଫଲ କରିବା ପରେ ଆରମ୍ଭ ହୋଇଛି କ୍ଷୟକ୍ଷତିର ଆକଳନ । ଏସଆରସିଙ୍କ ସୂଚନା ଅନୁସାରେ ବର୍ତମାନ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ତଥ୍ୟ ଆସି ନାହିଁ । ତେବେ ନୀଳଗିରି ଅଂଚଳରେ ଅଧିକ କ୍ଷତି ହୋଇଛି । ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁରରେ ବିଶେଷ କିଛି କ୍ଷୟକ୍ଷତି ହୋଇଥିବା ଖବର ଆସିନାହିଁ । ଅଳ୍ପ ଗଛ ଉପୁଡି ପଡିଛି । ଯାହା ଆଜି ରାତି ସୁଧା ସଫା ହୋଇଯିବ । ଭଦ୍ରକରେ ପବନ କମିବାରୁ ସଫା କାମ ଆରମ୍ଭ ହୋଇଛି । ସେହିପରି ବିଦ୍ୟୁତ ଲାଇନର ଯାଂଚ କାର୍ଯ୍ୟ ଆରମ୍ଭ ହୋଇଛି ।