କନକ ବ୍ୟୁରୋ: କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାକୁ ଲାଗିଥିବା ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ କ୍ଷେତ୍ର ଅଧିକ ଘନିଭୂତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଓଡ଼ିଶା ଉପକୂଳ ଆଡକୁ ମୁହାଁଇବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆସନ୍ତା ୨୨ ତାରିଖ ପର୍ୟ୍ୟନ୍ତ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।
ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲା ସମେତ ଖୋର୍ଦ୍ଧା, ନୟାଗଡ଼, ପୁରୀ, ବୌଦ୍ଧ, କନ୍ଧମାଳ, ସୋନପୁର, କଳାହାଣ୍ଡି ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିସନର। ସେହିପରି କଟକ, ଭୁବନେଶ୍ବର ଓ ବ୍ରହ୍ମପୁର ମହାନଗର ନିଗମ କମିସନରଙ୍କୁ ସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି। ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ସହ ବିଭିନ୍ନ ସ୍ଥାନର ଜଳବନ୍ଦୀ ସ୍ଥିତି ଉପୁଜିପାରେ। ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ମଧ୍ୟ ରହିଛି। ଏହାର ମୁକାବିଲା ପାଇଁ କ୍ଷେତ୍ରୀୟ ସ୍ତରୀୟ ଅଧିକାରୀଙ୍କୁ ସଜାଗ ରଖିବାକୁ କହିଛନ୍ତି ଏସଆରସି। ଯେଉଁ ସ୍ଥାନରେ ନଦୀ ଓ କେନାଲ୍ ବନ୍ଧ ଦୁର୍ବଳ ରହିଛି, ସେଥିପ୍ରତି ତୀକ୍ଷ୍ଣ ନଜର ରଖିବା ପାଇଁ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କୁ କୁହାଯାଇଛି। ବନ୍ୟା ସ୍ଥିତି ଉପୁଜିଲେ, ତୁରନ୍ତ ମୁକାବିଲା ପାଇଁ ଆବଶ୍ୟକ ସରଞ୍ଜାମ ସହ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି।