ଅବପାତ ପ୍ରଭାବରେ ଦୁଇ ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା । ୪ଟି ଜିଲ୍ଳାକୁ ରେଡ଼ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ, ପ୍ରବଳ ବର୍ଷା ସହ ୩୦ରୁ ୪୦ କିଲୋମିଟର ବେଗରେ ବହିପାରେ ପବନ ।

346

କନକ ବ୍ୟୁରୋ : ସମୁଦ୍ର ଭିତରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ ରୂପ ନେଇ ସାରିଛି । ଆଗାମୀ ୨୪ ଘଂଟାରେ ଆହୁରି ସକ୍ରିୟ ହୋଇ ଗଭୀର ଅବପାତର ରୂପ ନେବ । ଏହାର ପ୍ରଭାବରେ ଆସନ୍ତା ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ତେବେ ବାତ୍ୟା ଆଶଙ୍କା ନାହିଁ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅବପାତର ଗତିପଥ ଜାରି କରାଯାଇଛି । ଏହି ବାତ୍ୟା ପଶ୍ଚିମବଙ୍ଗର ସାଗର ଦୀପପୁଞ୍ଜ ଏବଂ ବାଂଲାଦେଶର ଖେପୁପୁରା ନିକଟରେ ଅତିକ୍ରମ କରିବ । ସବୁଜ ରଙ୍ଗର ବେଲୁନ ଭଳି ଦେଖାଯାଉଥିବା ଏହି ଚିତ୍ର ଅବପାତର ଗତିପଥକୁ ଦର୍ଶାଉଛି । ମଝିରେ ଯାଇଥିବା ନାଲି ରଙ୍ଗର ରେଖା ଦେଇ ଅବପାତ ସବୁଜ ଦେଖାଯାଉଥିବା ଅଂଚଳରେ ବର୍ଷା ସହ ପବନ କରାଇବ । ଏହି ଅବପାତ ପଶ୍ଚିମବଙ୍ଗ ଆଡକୁ ଗତି କରୁଥିଲେ ମଧ୍ୟ ଓଡିଶା ଉପକୂଳ ଦେଇ ଅତିକ୍ରମ କରୁଥିବାରୁ ଏହାର ପ୍ରଭାବରେ ୨ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଓଡିଶା ଦେଇ ଅତିକ୍ରମ କରିବା ସମୟରେ ଘଂଟାକୁ ୩୦ରୁ ୪୦କିଲୋମିଟର ବେଗରେ ପବନ ବହିପାରେ । ତଳିଆ ଅଂଚଳରେ ଜମିପାରେ ପାଣି ଏବଂ କଚ୍ଚା ଘର ପ୍ରତି ବିପଦ ରହିଛି । ସେହିପରି ପାହାଡିଆ ଅଂଚଳରେ ଭୁସ୍ଖଳନ ମଧ୍ୟ ହେବାର ଆଶଙ୍କା ଥିବାରୁ ସତର୍କ କରିଛି ପାଣିପାଗ ବିଭାଗ । ସମ୍ଭାବ୍ୟ ଅବପାତ ଏବଂ ପବନର ବେଗକୁ ଦେଖି ଓଡିଶାର ଗୋପାଳପୁର ଏବଂ ପୁରୀ ବନ୍ଦରକୁ ୩ନଂ ବିପଦ ସଂକେତ ଜାରି କରାଯାଇଛି । କରୋନା ଯୋଗୁଁ ପାର୍ବଣ ଋତୁ ଫିକା ଫିକା ଲାଗୁଛି । ଏଭଳି ସମୟରେ ଆଗାମି ୨ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ଏହି ପୂଜାକୁ ଆହୁରି ଫିକା କରି ଦେବାର ଆଶଙ୍କା ସୃଷ୍ଟି ହୋଇଛି ।