ବର୍ଷା ଆଣୁଛି ବନ୍ୟା । ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା । ଛତିଶଗଡ ଉପର ମୁଣ୍ଡରେ ପ୍ରବଳ ବର୍ଷା ପାଇଁ ହୀରାକୁଦରେ ବଢିବ ଜଳସ୍ତର, ଆହୁରି ଫୁଲିବ ମହାନଦୀ । ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା

1,861

କନକ ବ୍ୟୁରୋ: ରାଜ୍ୟରେ ଲଘୁଚାପ ପ୍ରଭାବରୁ ଅନେକ ଜିଲ୍ଲାରେ ବର୍ଷା ଲାଗି ରହିଛି । ଉତ୍ତର ଅଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ଏହା ମଧ୍ୟରେ ତେଲକୋଇ ଏବଂ ଲାଇକେରାରେ ୨୧୫ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଥିବା ସୂଚନା ଦେଇଛନ୍ତି ଆଂଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚଆର ବିଶ୍ୱାସ ।

ସେହିପରି ୬ଟି ଜିଲ୍ଲା ଜଗତସିଂହପୁର, ଦେବଗଡ, ସୁନ୍ଦରଗଡ, ସମ୍ବଲପୁର, ଅନୁଗୁଳ ଏବଂ ବୌଦ୍ଧରେ ଗତ ୨୪ ଘଂଟାରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି । ବର୍ତ୍ତମାନ ରାଜ୍ୟରେ ହାରାହାରି ଠାରୁ ୪ ଶହ ପ୍ରତିଶତରୁ ଅଧିକ ବର୍ଷା ହେଲାଣି । ପ୍ରଥମ ଥର ପାଇଁ ୨୭ ଅଗଷ୍ଟରେ ସ୍ୱାଭାବିକ ଠାରୁ ୧୦ ପ୍ରତିଶତ ଅଧିକ ବର୍ଷା ହୋଇଥାଏ । କେବଳ ଅଗଷ୍ଟ ମାସରେ କେବଳ ୫୪ ପ୍ରତିଶତ ଅଧିକ ବର୍ଷା ହୋଇଛି । ସେହିପରି ରାଜ୍ୟର ୧୫ଟି ଜିଲ୍ଲାରେ ୬୦ ପ୍ରତିଶତରୁ ଅଧିକ , ୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ତେବେ ଆସନ୍ତା ୨୪ ଘଂଟାରେ ରାଜ୍ୟର ପଶ୍ଚିମ ଓଡିଶାରେ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ । ଛତିଶଗଡ ଉପର ମୁଣ୍ଡରେ ପ୍ରବଳ ବର୍ଷା ସଂଭାବନା ରହିଥିବା କୁହାଯାଇଛି ।

ସେପଟେ ବନ୍ୟା ସ୍ଥିତିକୁ ନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି । ମନ୍ତ୍ରୀ କହିଛନ୍ତି, ଗତ ଦୁଇ ତିନି ଦିନ ହେବ ସାରା ରାଜ୍ୟରେ ପ୍ରବଳ ବର୍ଷା ହେଉଥିବାରୁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟରେ ୫୫ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ବୈତରଣୀ ଓ ବ୍ରାହ୍ମଣୀ ନଈ ଫୁଲିବାରୁ ଭଦ୍ରକ ଓ କେନ୍ଦୁଝରରେ ବନ୍ୟା ହୋଇଛି ।

ବାଲେଶ୍ୱର, ମୟୂରଭଂଜ, ଜଗତସିଂହପୁର କେନ୍ଦ୍ରାପଡାର ତଳିଆ ଅଂଚଳରେ ପାଣି ପଶିଥିବାରୁ ଲୋକଙ୍କୁ ସ୍ଥାନାନ୍ତର କାମ ଆରମ୍ଭ ହୋଇଯାଇଛି । ବନ୍ୟା କାରଣରୁ ମୟୂରଭଂଜରୁ ୨ ଜଣ ଓ କେନ୍ଦୁଝରର ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ । ପ୍ରଥମେ ଲୋକଙ୍କ ସ୍ଥାନାନ୍ତର କରିବା ପରେ କ୍ଷୟକ୍ଷତି ଆକଳନ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି । ସେପଟେ ବନ୍ୟା ପରିସ୍ଥିତି ନେଇ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି, ସ୍ଥିତି ଉପରେ ନଜର ରଖାଯାଇଛି । ବରିଷ୍ଠ ଜଳ ସମ୍ପଦ ଅଧିକାରୀ ଗ୍ରାଉଣ୍ଡରେ ଅଛନ୍ତି । ନଦୀବନ୍ଧକୁ ନେଇ କୌଣସି ବିପଦ ନାହିଁ ।