ବର୍ଷାରେ ବେହାଲ ଅଧା ଓଡିଶା, ପାଣିରେ ଉବୁଟୁବୁ ତଳିଆ ଅଞ୍ଚଳ । କେନ୍ଦ୍ରାପଡ଼ାରେ ତହସିଲ ଅଫିସରେ ପଶିଲା ପାଣି, ସରକାରୀ କାମ ଠପ୍ । ବନ୍ୟାଜଳରେ ବେହାଲ ହେଲା ବାଙ୍କୀ । ଆସନ୍ତାକାଲି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ସଜାଗ ରହିବାକୁ ପରାମର୍ଶ

1,924

କନକ ବ୍ୟୁରୋ: ଗତ ୨୪ ଘଂଟାରେ ବର୍ଷାର ଭୟାନକ ପ୍ରଭାବ । ହଜାର ହଜାର ହେକ୍ଟର ଚାଷଜମିରେ ପାଣି ମାଡିଛି । ଗାଁରେ ପାଣି ପଶିଛି । ବିଲରେ ଖେଳୁଛି ମୀନ । ବନ୍ୟା ଆଶଙ୍କାରେ ଭୟଭୀତ ଅଛନ୍ତି ଲୋକେ । ସାରା ରାଜ୍ୟରୁ ଜଳକଷ୍ଟର ଭିନ୍ନ ଭିନ୍ନ ଚିତ୍ର ସାମ୍ନାକୁ ଆସୁଛି ।

କେନ୍ଦ୍ରାପଡା
କେନ୍ଦ୍ରାପଡାରେ ଗୋବରୀ ନଦୀର ବନ୍ୟା ପାଣିରେ ବୁଡି ରହିଛି ଡେରାବିଶ ବ୍ଲକର ନୋଳାପାଟରେ ହଜାର ହଜାର ହେକ୍ଟର ଚାଷ ଜମି । ରଘୁଦେଇପୁର, ଛୋଟି,ମଙ୍ଗଳପୁର,ବେଣିପୁରର ପ୍ରାୟ ୨୦ଟି ପଂଚାୟତରେ ପାଣିରେ ବୁଡି ରହିଛି ଧାନ ବିଲ । ବିଲରେ ଜମିଛି ଆଣ୍ଠୁଏ ଉଚ୍ଚର ପାଣି । ଅନେକ ସ୍ଥାନରେ ରାସ୍ତା ଉପରେ ଚାଲୁଛି ପାଣି ।

ଯାଜପୁର
ଯାଜପୁରରେ ଚିନ୍ତା ବଢ଼ାଉଛି ଖରସ୍ରୋତ ନଦୀ । ଗାଁକୁ ସୁରକ୍ଷା ଦେବାକୁ ନାହିଁ ନଦୀ ବନ୍ଦ । ଅତଡ଼ା ଖସି ଧୀରେ ଧୀରେ ନଦୀ ଗର୍ଭକୁ ଚାଲିଗଲାଣି ପୁରା ଗାଁ । ଯାହାକୁ ନେଇ ଏବେ ଚିନ୍ତାରେ ଅଛନ୍ତି ବଡତ୍ରିଲୋଚନପୁର ଗାଁ ଲୋକ ।

ପିପିଲି
ଧାନ ବିଲରେ ଖେଳୁଛି ମୀନ । ଜାଲ ବସାଇ ମାଛ ଧରିଲେ ଚାଷୀ । ଲଘୁଚାପ ଜନିତ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଉଛି । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ମହୁରା, କେତକିପାଟଣା,ରାଯଖଣ୍ଡି ପଂଚାୟତରେ ଚାଷ ଜମିରେ ବର୍ଷା ପାଣିରେ ପଚି ନଷ୍ଟ ହେବାକୁ ବସିଲାଣି ଫସଲ । ବନ୍ୟା ଜଳ ଚାଷ ଜମିରେ ଜମି ରହିଥିବାରୁ ଧାନ ଗଛ ପଚି ନଷ୍ଟ ହୋଇଛି । ନଷ୍ଟ ହେବାକୁ ବସିଲାଣି ହଜାର ହଜାର ହେକ୍ଟର ଧାନ ଫସଲ ।

ଜଗତସିଂହପୁର
ଲଗାଣ ବଷାରେଧାନ ଜମିରେ ଆଣ୍ଠୁଏ ଉଚ୍ଚର ପାଣି । ବର୍ଷା ଜଳ ନିଷ୍କାସନ ହୋଇନପାରିବାରୁ ଧାନ ଗଛ ପଚିଗଲାଣି । ୮ଟି ବ୍ଲକ ବାଲିକୁଦା,ବିରିଡି, ଏରସମା, ନାଉଗାଁ, ରଘୁନାଥପୁର,କୁଜଙ୍ଗ, ତିର୍ତୋଲ, ଓ ଜଗତସିଂହପୁର କିଛି ଅଂଚଳରେ ପ୍ରାୟ ୪୦ ହଜାର ହେକ୍ଟର ଚାଷଜମିରେ ଜମି ରହିଛି ବର୍ଷା ପାଣି । ତିର୍ତୋଲ ବ୍ଲକ କଟରା ପଂଚାୟତର ଇଏ ହେଉଛି ଦୃଶ୍ୟ । ଲଗାଣ ବର୍ଷା ଯୋଗୁଁ ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ହତାଶ ।

ବାଙ୍କୀ
ବାଙ୍କୀରେ ପ୍ରବେଶ କରିଛି ମହାନଦୀର ପ୍ରଥମ ବନ୍ୟାଜଳ । ଫଳରେ ବାଙ୍କୀର ତାଳବସ୍ତ ଓ ବାଲିପଡାରୁ ବାଙ୍କୀ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ତାଳବସ୍ତ-ବାଙ୍କୀ ରାସ୍ତା ଉପରେ ପ୍ରବାହିତ ହେଉଛି ୪ ଫୁଟର ବନ୍ୟାଜଳ । ଅନେକ ତଳିଆ ଅଂଚଳରେ ପ୍ରବାହିତ ହେଉଛି ବନ୍ୟାପାଣି । ହେକ୍ଟର ହେକ୍ଟର ଧାନ ଓ ପରିବା ଫସଲ ନଷ୍ଟ ହେବା ନେଇ ସୃଷ୍ଟି ହୋଇଛି ଆଶଙ୍କା ।