ଓଡିଶା ଛୁଇଁବନି ‘ବୁଲବୁଲ’ । ହେଲେ ବାତ୍ୟା ପ୍ରଭାବରେ ହେବ ଭୀଷଣ ବର୍ଷା। ୪ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସତର୍କତା। ୭୦ରୁ ୯୦ କିମି ଛୁଇଁପାରେ ପବନର ବେଗ

ଉପକୂଳ ଓ ଉତର ଓଡିଶାରେ ଆଜି ପ୍ରବଳ ବର୍ଷା ସମ୍ଭାବନା

1,901

କନକ ବ୍ୟୁରୋ: ବାତ୍ୟା ବୁଲ୍ବୁଲ୍ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ଫଳରେ ତଳିଆ ଅଂଚଳର ସୁରକ୍ଷା ପାଇଁ ପଦକ୍ଷେପ ନେଇଛି ପ୍ରଶାସନ । ଜଗତସିଂହପୁରରେ ୨୫୦ ଜଣ ଓ ବସ୍ତା- ବାଳିଆପାଳ ଅଂଚଳରେ ୧୨୫ ଜଣ ସ୍ଥାନାନ୍ତର କରାଯାଇଛି । ସେହିପରି ବାଲିଯାତ୍ରା ପାଇଁ ପାରାଦୀପ ସମୁଦ୍ରକୂଳରୁ ଥିବା ଉଠା ବ୍ୟବସାୟୀ ସ୍ଥାନାନ୍ତର କରିଛି ପ୍ରଶାସନ । ଅନ୍ୟପଟେ ପୁରୀ ପେଣ୍ଠକଟାରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି ।

ଏପଟେ ଓଡିଶା ଉପରେ ବାତ୍ୟା ବୁଲବୁଲର ପ୍ରଭାବ ନାହିଁ ବୋଲି ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ପାଗ ମେଘୁଆ ରହିବା ସହିତ ଝିପ ଝିପ ବର୍ଷା ଲାଗି ରହିଛି । କେଉଁଠି ତୁହାକୁ ତୁହା ବର୍ଷା ଲାଗି ରହିଛି , ଆଉ କେଉଁଠି ଝିପି ଝିପି ବର୍ଷା ଲାଗି ରହିଛି । ଉତର ଉପକୂଳ ଓଡିଶା ବିଶେଷ କରି ବାଲେଶ୍ୱର, ଭଦ୍ରକ ସହ କେନ୍ଦ୍ରାପଡା, ଜଗତସିଂହପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ମୟୂରଭଞ୍ଜ, କଟକ ଓ ଯାଜପୁର ଜିଲ୍ଳାରେ ପ୍ରବଳ ବର୍ଷା ହୋଇପାରେ ବୋଲି କହିଛି ପାଣିପାଗ ବିଭାଗ । ଏହି ସମୟରେ ୭୦ରୁ ୯୦କିଲୋମିଟର ବେଗରେ ପବନ ବି ବୋହିବ ।