ଭ୍ୟାନ ଭସାଇନେଲା ବର୍ଷାପାଣି । ଲଗାଣ ବର୍ଷାରେ ଉବୁଟୁବୁ ଓଡିଶା । ସାରା ରାଜ୍ୟରୁ ଆସିଲା ବର୍ଷାର ଭୟଙ୍କର ଚିତ୍ର ।

556

କନକ ବ୍ୟୁରୋ: ଲଗାଣ ବର୍ଷାରେ ଉବୁଟୁବୁ ଓଡିଶା । ସାରା ରାଜ୍ୟରୁ ଆସୁଛି ବର୍ଷାର ଭୟଙ୍କର ଚିତ୍ର । କେଉଁ ଚାଷ ଜମି ବୁଡିଛି ତ କେଉଁଠି ରାସ୍ତା ବୁଡି ପାଣି ଚାଲୁଛି । ତ ଆଉ କେଉଁଠି ଯୋଗାଯୋଗ ବିଚ୍ଛିନ୍ନ କରିଛି ବନ୍ୟା ଜଳ । ଲଘୁଚାପ ପାଇଁ ତୁହାକୁ ତୁହା ବର୍ଷାରେ ବେହାଲ ହୋଇଛି ପୂରା ଓଡିଶା । ସେପଟେ ପ୍ରବଳ ପାଣି ପାଇଁ ଯାତାୟାତ ବାଧାପ୍ରାପ୍ତ ହେଉଥିବା ବେଳେ ନଈ ନାଳରେ ଭାସି ଯାଇଛି ଗାଡି ।

ତେବେ ବର୍ଷା ପାଣିରେ ଭାସିଗଲା ମାଲ ବୋଝେଇ ଟ୍ରକ । କେନ୍ଦୁଝର ପାଟଣା ଥାନା ସ୍ୱାମନାଳ ନିକଟରେ ଥିବା ନିର୍ମାଣଧୀନ ଓଭର ବ୍ରିଜ ନିକଟରେ ଟ୍ରକ ଭାସିଗଲା । ରାସ୍ତାରେ ବର୍ଷା ପାଣି ଭରି ରହିଥିବାରୁ ଭାସି ଯାଇଛି ମିନି ଟ୍ରକ । ଲୋକଙ୍କ ବାରଣ ସତ୍ୱେ ଗାଡି ଚଲାଇ ପାଣିର ପ୍ରଖର ସ୍ରୋତରେ ଗଲାବେଳେ ନିୟନ୍ତ୍ରଣ ହରାଇଛନ୍ତି ଡ୍ରାଇଭର । ଶେଷରେ ନଦୀ ଗର୍ଭକୁ ମିନି ଟ୍ରକଟି ଖସି ପଡିଛି । ତେବେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଛି ।

ସେପଟେ କେନ୍ଦୁଝର ରାସ୍ତା ଉପରେ ବହୁଛି ବର୍ଷା ପାଣି । ଗତକାଲିଠୁ ବର୍ଷା ଲାଗି ରହିଥିବାରୁ ବୋଦାବରିଶା ପଂଚାୟତର ରାସ୍ତା ଉପରେ ୪ ରୁ ୫ ଫୁଟର ପାଣି ପ୍ରବାହିତ ହେଉଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ସ୍ଥାନୀୟ ଅଂଚଳର ଲୋକେ ଗାଁରୁ ବାହାରି ପାରୁନାହାନ୍ତି । ଏଠାକାର ଲୋକ ଜୀବନ ଜୀବିକା ପାଇଁ କେନ୍ଦୁଝର ସହର ଉପରେ ନିର୍ଭର କରୁଥିବା ବେଳେ ଏବେ ପୂରା ଠପ୍ ହୋଇଯାଇଛି । ଏମିତି ଲୋକଙ୍କ ଘରେ ମଧ୍ୟ ପାଣି ପଶିଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ମଟର ଲଗାଇ ବର୍ଷା ଜଳ ନିଷ୍କାସନ କରାଯାଉଛି । ସେପଟେ ପାଟଣା ବ୍ଲକ ତୁରୁମୁଙ୍ଗା ପୋଲ ଉପରେ ମଧ୍ୟ ବର୍ଷା ଜଳ ପ୍ରବାହିତ ହେଉଛି । ପୋଲ ଉପରେ ୪ ଫୁଟର ପାଣି ବହିବାରୁ ମୁମ୍ବାଇ-କଲିକତା ଜାତୀୟ ରାଜପଥରେ ଗମନାଗମନ ଠପ୍ ହୋଇଯାଇଛି ।

ଅନପଟେ କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟ ପୌରପାଳିକା ଅଂଚଳରେ ବି କୃତ୍ରିମ ବନ୍ୟା ଦେଖାଦେଇଛି । ଭାଲୁକିପତଳା, ବଳଦେବଜୀଉ କଲୋନୀ, ସ୍ପଂଜ କଲୋନୀ, ଫରେଷ୍ଟ କଲୋନୀରେ ଜନବସତି ଅଂଚଳ ପାଣି ଘେରରେ ରହିଛି । ଡ୍ରେନେଜ ବ୍ୟବସ୍ଥା ଠିକ ନଥିବାରୁ ଲୋକଙ୍କ ଘରେ ପାଣି ପଶିଯାଇଛି ।

ତେବେ ବାଲେଶ୍ୱର ଜିଲ୍ଲା ସୋରରେ ଗାଁ ଭିତରକୁ ବନ୍ୟା ପାଣି ମାଡିଯାଇଛି । ମାଣିପୁରର ୧୦ଟି ଦୋକାନରେ ପାଣି ପଶିଯାଇଛି । ଫଳରେ ଦୋକାନରେ ଥିବା ସମସ୍ତ ପ୍ରକାର ଜିନିଷପତ୍ର ନଷ୍ଟ ହୋଇଯାଇଛି । ସେହିପରି ମଙ୍ଗଳପୁର- ଶିଙ୍ଗାଖୁଣ୍ଟାକୁ ଯୋଗଯୋଗ ବିଚ୍ଛିନ୍ନ ହୋଇଛି । ରାସ୍ତାରେ ବର୍ଷା ଜଳ ଜମି ଥିବାରୁ ଯାତାୟାତ ବନ୍ଦ । ଚାଷ ଜମିରେ ପାଣି ମାଡିଯାଇଛି । ପାଣିରେ ଫସଲ ବୁଡି ରହିଛି ।