୧୯ରେ ଆସୁଛି ଆଉ ଏକ ଲଘୁଚାପ । ୧୯ରୁ ୨୧, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା । ଜିଲ୍ଲାପାଳଙ୍କୁ ସଜାଗ କଲେ ଏସଆରସି, କହିଲେ ତଳିଆ ଅଂଚଳରେ ମାଡ଼ିବ ପାଣି ।

1,241

କନକ ବ୍ୟୁରୋ : ଆଗକୁ ଆସୁଛି ଆଉ ଏକ ଲଘୁଚାପ । ଫଳରେ ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା କରିଛି ପାଣିପାଗ ବିଭାଗ । ୧୯ ତାରିଖରୁ ରାଜ୍ୟରେ ବର୍ଷା ହେବା ସମ୍ଭାବନା ଥିବାରୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ସେପଟେ ପରିସ୍ଥିତି ମୁକାବିଲା ନେଇ ଜରୁରୀ ବୈଠକ କରିଛନ୍ତି ଗଂଜାମ ଜିଲ୍ଲାପାଳ । ମାସ ଶେଷଯାଏଁ ହେଡକ୍ୱାର୍ଟର ନଛାଡିବାକୁ ସରକାରୀ କର୍ମଚାରୀଙ୍କୁ ଦେଇଛନ୍ତି ନିର୍ଦ୍ଦେଶ ଏବଂ ତିତିଲି ବାତ୍ୟା ଭଳି ସ୍ଥିତି ହେବା ଆଶା ରହିଛି ବୋଲି ସତର୍କ କରାଇ ଦେଇଛନ୍ତି ଜିଲ୍ଲାପାଳ ।

ମାତ୍ର ୩ ଦିନ ତଳେ ଅବପାତ ଜନିତ ଲଗାଣ ବର୍ଷା ଫଳରେ ବେହାଲ ହୋଇପଡିଥିଲା ଗଂଜାମ ଓ ଗଜପତି ଜିଲ୍ଲା । କେଉଁଠି ରାସ୍ତା ଧୋଇଯାଇଥିଲା, ତ ଆଉ କେଉଁଠି ବିଦ୍ୟୁତ ଖୁଂଟ ଉପୁଡି ପଡିଥିଲା । ଏପରିକି ପାହାଡିଆ ଅଂଚଳରେ ଲଗାଣ ବର୍ଷାରେ ମାଟି ଧସିଯାଇଥିଲା । ଏହି ସମସ୍ୟାରୁ ମୁକୁଳିବା ପୂର୍ବରୁ ପୁଣି ଏକ ଲଘୁଚାପର ସମ୍ଭାବନା ସୃଷ୍ଟି ହୋଇଛି । ଏହା ସହ ଆସନ୍ତା ୧୯ ତାରିଖରୁ ଦକ୍ଷିଣ ଓଡିଶାରେ ଲଗାଣ ବର୍ଷାର ଆଶଙ୍କା ରହିଛି ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା ୧୯ ତାରିଖ ପାଇଁ ମାଲକାନଗିରି, କୋରାପୁଟ, ରାୟଗଡା, ଗଂଜାମ ଓ ଗଜପତି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୦ ତାରିଖ ପାଇଁ ମାଲକାନଗିରି, କୋରାପୁଟ, ରାୟଗଡା ଓ ପୁରୀ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି ହୋଇଥିବା ବେଳେ ଆସନ୍ତା ୨୧ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଂଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ପାଣିପାଗ ବିଭାଗର ଆକଳନକୁ ଦୃଷ୍ଟିରେ ରଖି ଦକ୍ଷିଣ ଓଡିଶାର ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଏଥି ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ସହ ପ୍ରାକ୍ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଗଂଜାମ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଏନେଇ ଜିଲ୍ଲାପାଳ ଜରୁରୀ ବୈଠକ କରିବା ସହ ସମସ୍ତ ବିଭାଗକୁ ଆସନ୍ନ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ କେତେକ ଦିଗକୁ ଗୁରୁତ୍ୱ ଦିଆଯାଇଛି ।

ଜିରୋ କାଜୁଆଲଟିକୁ ଗୁରୁତ୍ୱ
ମାସ ଶେଷଯାଏଁ ହେଡକ୍ୱାର୍ଟର ନଛାଡିବାକୁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ
ତିତିଲି ପରିସ୍ଥିତିର ପୁନରାବୃତି ସମ୍ଭାବନା
ଖାଲୁଆ ଅଂଚଳ, କଚ୍ଚା ଘରେ, ପୁରାତନ କୋଠାରେ ଓ ବିପଦ ସଙ୍କୁଳ ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର
କୋଭିଡ୍ କଟକଣା ପାଳନକୁ ଗୁରୁତ୍ୱ
ଘରକୁ ଫେରିବା ଯାଏଁ ଖାଦ୍ୟ ଓ ପାନୀୟ ଯୋଗାଣ
ଗର୍ଭବତୀଙ୍କୁ ଚିହ୍ନଟ ଓ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ଗୁରୁତ୍ୱ
ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ନିର୍ଦ୍ଦେଶ

ପାଣିପାଗ ବିଭାଗର ପୂର୍ବାନୁମାନ ଦକ୍ଷିଣ ଓଡିଶାରେ ପୁଣି ଏକ ବର୍ଷା ବିତ୍ପାତ ଆଶଙ୍କା ବଢିଛି ।