୧୪ ତାରିଖ ଯାଏଁ ପ୍ରବଳ ବର୍ଷିବ । ଜାଣନ୍ତୁ କେଉଁ କେଉଁ ଜିଲ୍ଲା ପାଇଁ ସର୍ତକ ସୂଚନା ଜାରି କଲା ପାଣିପାଗ ବିଭାଗ

25

କନକ ବ୍ୟୁରୋ : ଆଗାମୀ ଦୁଇ ଦିନ ଧରି ଦେଶର ୧୬ଟି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ଆଶଙ୍କା ରହିଛି । ଆଉ ଏହାର ପ୍ରଭାବରେ ଓଡିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୧୪ ତାରିଖ ଯାଏଁ ପାଗ ଏଭଳି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଖାସକରି ଆସନ୍ତାକାଲି ଠାରୁ ବର୍ଷାର ପରିମାଣ ବଢିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।

ଲଘୁଚାପ ପ୍ରଭାବରେ ଆସନ୍ତାକାଲି ରାଜ୍ୟର ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । କୋରାପୁଟ, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିଭଳି ୧୩ ତାରିଖରେ ମଧ୍ୟ ୬ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ରାୟଗଡ଼ାରେ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ୧୪ ତାରିଖରେ ମଧ୍ୟ ଏହି ଲଘୁଚାପର ପ୍ରଭାବ ରାଜ୍ୟର ୮ଟି ଜିଲ୍ଲାରେ ଦେଖିବାକୁ ମିଳିବ । କଟକ, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, କନ୍ଧମାଳ,କଳାହାଣ୍ଡିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବା ସୂଚନା ଦେଇଛଇ ପାଣିପାଗ ବିଭାଗ । ତେଣୁ ଏହି ସମୟ ମଧ୍ୟରେ ଧୀବର ମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।