କନକ ବ୍ୟୁରୋ : ମେ’ ୩୦ ଯାଏ ନିସ୍ତାର ମିଳିବନି। ଟକମକ ହୋଇ ଫୁଟିବ ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶା। ୨୫ରୁ ୨୯ ତାରିଖ ମଧ୍ୟରେ କେତେକ ସହରର ତାପମାତ୍ରା ୪୭ ଡିଗ୍ରୀ ଟପିଯିବ। ଟାଣ ଖରା ସାଙ୍ଗକୁ ବାୟୁମଣ୍ଡଳରେ ଆଦ୍ରତା ବଢ଼ିବା ହେତୁ ସପ୍ତାହ ଯାଏ ଲୋକେ ତାତିରେ ଆଉଟୁପାଉଟୁ ହେବେ। ବଞ୍ଚିବା ପାଇଁ ରାହା ଖୋଜିବେ। କେବଳ ପଶ୍ଚିମ କି କେନ୍ଦ୍ରୀୟ ଓଡ଼ିଶା ନୁହେଁ। ଉପକୂଳ ଓଡ଼ିଶା ପ୍ରତି ବି ତାତିର ବିପଦ ମାଡ଼ି ଆସୁଛି। ୨୩ ତାରିଖ ଯାଏ ସ୍ଥିତି ଅପରିବର୍ତ୍ତିତ ରହିବ। ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟ କମିବ। ତେବେ ୨୪ ତାରିଖଠାରୁ ଅସ୍ତବ୍ୟସ୍ତ ହେବ ସମଗ୍ର ଉପକୂଳ ଓଡ଼ିଶା। ଭୁବନେଶ୍ବରରୁ ଚାନ୍ଦବାଲି ପର୍ଯ୍ୟନ୍ତ ପ୍ରଚଣ୍ଡ ତାତି ଅନୁଭୂତ ହେବ। ଆର୍ଦ୍ରତା ବି ବଢ଼ିବ। ୪୦ ଡିଗ୍ରି ତାପମାତ୍ରାରେ ରହିଲେ ବି ୫୦ ଡିଗ୍ରି ପରି ଅନୁଭୂତ ହେବ। ଦେହ ଜଳିଗଲା ପରି ଲାଗିବ।
/kanak/media/post_attachments/wp-content/uploads/2019/05/Screen-shot-2018-03-30-at-6.01.28-PM-768x428.png)
ଓଡ଼ିଶା ପାଇଁ ଏଭଳି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ସତର୍କ ରହିବା ସହ ସଚେତନତା ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛି। ସ୍ଥିତିକୁ ଗୁରୁତ୍ବର ସହ ଗ୍ରହଣ କରି ଆସନ୍ତା ଦୁଇ ଦିନ ଲାଗି ଓଡ଼ିଶାର ୧୦ ଜିଲ୍ଲା ପାଇଁ (ଗ୍ରୀଷ୍ମ ପ୍ରବାହ) ସତର୍କ ସୂଚନା ଜାରି ହୋଇଛି। ଗ୍ରୀଷ୍ମ ପ୍ରବାହ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା ବଲାଙ୍ଗୀର, ସୋନପୁର, ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ବୌଦ୍ଧ, କଳାହାଣ୍ଡି ଓ ଝାରସୁଗୁଡ଼ା। ଏହି ଜିଲ୍ଲାବାସୀମାନେ ୨୨ ତାରିଖ ଯାଏ ତାତିଠାରୁ ଦୂରେଇ ରହିବା ସହ ଅଂଶୁଘାତରେ ଯେପରି ଆକ୍ରାନ୍ତ ନ ହୁଅନ୍ତି ସେଥିପ୍ରତି ପ୍ରାଥମିକତା ଦେବାକୁ କୁହାଯାଇଛି।
photo courtesy -http://images.indianexpress.com
ରାଜ୍ୟ ସ୍ବତନ୍ତ୍ର ରିଲିଫ୍ କମିସନର(ଏସ୍ଆରସି) ବିଷ୍ଣୁପଦ ସେଠୀ କହିଛନ୍ତି ଯେ ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାପାଳମାନଙ୍କୁ ଜଳଛତ୍ର ଓ ଏକାଧିକ ସ୍ଥାନରେ ଛାଇ କରିବା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଖରାରେ ଶ୍ରମିକଙ୍କୁ କାମ ନ କରାଇ ସେମାନଙ୍କୁ ଶ୍ରମ କରିବାର ସମୟରେ ପରିବର୍ତ୍ତନ କରିବାକୁ କୁହାଯାଇଛି। କାର୍ଯ୍ୟସ୍ଥଳୀରେ ପର୍ଯ୍ୟାପ୍ତ ପାନୀୟ ଜଳ ସୁବିଧା କରିବା, ଖରା ସମୟରେ ଘର ଭିତରେ ରହିବା, ଥଣ୍ଡା ପାଣିରେ ଗାଧୋଇବା, ଫ୍ୟାନ୍ ବ୍ୟବହାର, ଦୁର୍ବଳ ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା, ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୩ଟା ଯାଏ ପଦାକୁ ନ ବାହାରିବା, ମାଦକ ଦ୍ରବ୍ୟ, ଚା’, କଫି, କାର୍ବୋନେଟେଡ୍ ମୃଦୁ ପାନୀୟ ଆଦି ନ ପିଇବାକୁ ପରାମର୍ଶ ଦିଆଯାଇଛି। ପିଲାମାନଙ୍କ ପ୍ରତି ସତର୍କତା ଅବଲମ୍ବନ କରିବାକୁ ବି ପରାମର୍ଶ ଦିଆଯାଇଛି।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଉପକୂଳ ଅଞ୍ଚଳରେ ସର୍ବୋଚ୍ଚ ତାପମାତ୍ରା ଅପରିବର୍ତ୍ତିତ ରହିବ। ଭୁବନେଶ୍ବରରେ ୩୮ ଡିଗ୍ରି ରହିବ। ମେ’ ୨୨ରୁ ଭୁବନେଶ୍ବର ସର୍ବୋଚ୍ଚ ତାପମାତ୍ରା କ୍ରମଶଃ ହ୍ରାସ ପାଇ ୩୫ରୁ ୩୬ ଡିଗ୍ରି ଭିତରେ ରହିବ। କିନ୍ତୁ ବାୟୁର ଆର୍ଦ୍ରତା ବଢ଼ିବା ହେତୁ ଗୁଳୁଗୁଳି ଜାରି ରହିବ। ୨୫ ତାରିଖରେ ତାପମାତ୍ରା ପୁଣି ବଢ଼ିବ। ୨୬ରେ ଭୁବନେଶ୍ବର ତାପମାତ୍ରା ୪୨ ଡିଗ୍ରି ହୋଇପାରେ। ୨୬ ଓ ୨୭ରେ କାଳବୈଶାଖୀ ବର୍ଷା ହେବା ପରେ ତାପମାତ୍ରା ପୁଣି ହ୍ରାସ ପାଇବାର ସମ୍ଭାବନା ରହିଛି। ତେବେ ପଶ୍ଚିମ ଓଡ଼ିଶା ସ୍ଥିତିରେ ପୂର୍ବଭଳି ରହିବ। ୨୭ରୁ ୨୯ ଯାଏ କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୭ ଡିଗ୍ରି ଛୁଇଁପାରେ। ଆସନ୍ତା ସପ୍ତାହକ ଯାଏ ପଶ୍ଚିମ ଓଡ଼ିଶାବାସୀଙ୍କୁ ତାତିରୁ ତ୍ରାହି ନାହିଁ।