ଉତର ଭାରତରେ ଜାଡର ପ୍ରକୋପ । ହିମାଚଳ ପ୍ରଦେଶ ଓ ଜମ୍ମୁକଶ୍ମୀରରେ ପ୍ରବଳ ତୁଷାରପାତ, ସର୍ତକ କଲା ପାଣିପାଗ ବିଭାଗ ଆସନ୍ତା ୩ଦିନ ଲାଗି ରହିବ ବରଫ ବର୍ଷା ।

151

କନକ ବ୍ୟୁରୋ : ଥଣ୍ଡାରେ ଥରୁଛି ଉତ୍ତର ଭାରତ । ଦେଶର ଉତ୍ତର ଭାଗରେ ରହିଥିବା ରାଜ୍ୟ ଗୁଡିକରେ ଏବେ ଜାରି ରହିଛି ଶୀତ ଲହରି । ଜମ୍ମୁକଶ୍ମୀର, ହିମାଚଳ ପ୍ରଦେଶ ଓ ଉତରାଖଣ୍ଡ ପରି ରାଜ୍ୟରେ ପ୍ରବଳ ତୁଷାରପାତ ହୋଇଛି । ବରଫ ଚାଦରରେ ଘୋଡେଇ ହୋଇ ରହିଛି ସାରା ଅଂଚଳ ।
ଖସୁଛି ପାରଦ, ଥରୁଛି ଦେଶ । ଦେଶର ଅଧିକାଂଶ ସ୍ଥାନରେ ଶୀତ ଲହରି ଜାରି ରହିଛି । କେଉଁଠି ପ୍ରବଳ ତୁଷାରପାତ ତ ପୁଣି କେଉଁଠି ହାଡଭଙ୍ଗା ଶୀତ ଅନୁଭୂତ ହେଉଛି । ଜମ୍ମୁ କାଶ୍ମୀରର ରଜୌରୀ, ହିମାଚଳ ପ୍ରଦେଶର ସିମଲାରେ ବରଫ ବର୍ଷା ଲାଗି ରହିଛି । ରାସ୍ତାଘାଟଠୁ ଘର ଦ୍ୱାରା ସବୁଠି ଜମିଛି ବରଫର ମୋଟା ଆସ୍ତରଣ । ଧଳା ଚାଦରର ମୋଟା ଆସ୍ତରଣ ପର୍ବତମାଳକୁ ଘୋଡ଼େଇ ରଖିଛି । ନା ନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଲୋକେ । ସେପଟେ ଏହି ବରଫପାତର ମଜା ନେଉଛନ୍ତି ପର୍ଯ୍ୟଟକ । ଆଇଏମଡି ସୂଚନା ଅନୁଯାୟୀ ଆଗାମୀ କିଛି ଦିନ ଦେଶର ଅଧିକାଂଶ ସ୍ଥାନରେ ପାରଦ ଆହୁରି ଖସିବ । ଜମ୍ମୁକାଶ୍ମୀରରେ ପାରଦ ୫ଦଶମିକ ୨ ତଳେ ରହୁଥିବା ବେଳେ ସିମଲାରେ ମଧ୍ୟ ଆଗାମୀ ୩ ଦିନ ବରଫପାତ ହେବାର ଆକଳନ କରିଛି ପାଣିପାଗ ବିଭାଗ । ସେପଟେ ବୈଷ୍ଣୋଦେବୀଙ୍କ ପୀଠରେ ବି ଲାଗିରହିଛି ବରଫ ବର୍ଷା ।

ସେପଟେ ରାଜଧାନୀ ଦିଲ୍ଲୀ ସମେତ ଉତର ଭାରତରେ ଦେଖିବାକୁ ମିଳିଛି ହାଡ଼ଭଙ୍ଗା ଜାଡ଼ର ପ୍ରକୋପ । ଦିଲ୍ଲୀରେ ସର୍ବନିମ୍ନ ତାପାମାତ୍ର ୮ଡିଗ୍ରୀ ସେଲସିୟସ ରେର୍କଡ କରାଯାଇଛି । ରାସ୍ତା ଘାଟ କୁହୁଡ଼ିରେ ଭର୍ତି ହୋଇ ରହୁଛି । ସକାଳୁ ସକାଳୁ ଘରୁ ବାହାରିବା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ପଂଜାବ,ହରିଆଣା,ଦିଲ୍ଲୀ,ଉତରପ୍ରଦେଶ,ରାଜସ୍ଥାନରେ ଭୀଷଣ ଶୀତ ଅନୁଭୂତ ହେଉଛି । କିଏ ନିଆଁ ଜାଳି ତ ଆଉ କିଏ ବ୍ୟାୟାମ କରି ଶୀତର ମୁକାବିଲା କରୁଛନ୍ତି । ଦିଲ୍ଲୀରେ ଆଗକୁ ମଧ୍ୟ ଥଣ୍ଡା ବଢ଼ିବା ନେଇ ସୂଚନା ଦେଇଛି ଆଇଏମଡ଼ି ।

ଜମ୍ମୁକଶ୍ମୀର ଓ ହିମାଚଳ ପ୍ରଦେଶରେ ଜାରି ରହିଛି ପ୍ରବଳ ତୁଷାରପାତ । ଏଠାରେ ଆଗାମୀ ୨ଦିନ ଯାଏଁ ପ୍ରବଳ ତୁଷାରପାତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ରାସ୍ତା ଘାଟ, ଘର ଦ୍ୱାର ଯେଉଁଆଡେ ଆଖି ପକାଇଲେ ଖାଲି ବରଫ ଓ ବରଫ ଦେଖିବାକୁ ମିଳୁଛି ।