ଉତ୍ତର ଭାରତରେ ପ୍ରବଳ ତୁଷାରପାତ ଜାରି । ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ଦୁଇ ଦିନ ହେଲା ଲାଗିରହିଛି ତୁଷାରପାତ ।

87

କନକ ବ୍ୟୁରୋ : ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ପ୍ରବଳ ଥଣ୍ଡା ସାଙ୍ଗକୁ ଜାରି ରହିଛି ତୁଷାରପାତ ।  ଦୁଇ ଦିନ ଧରି ଏଠାରେ ବରଫବର୍ଷା ହୋଇଛି । ଏଠାକୁ ଆସୁଥିବା ପର୍ଯ୍ୟଟକ ତୁଷାରପାତରେ ଭରପୂର ମଜା ଉଠାଉଛନ୍ତି । ଉତ୍ତରାଖଣ୍ଡର ମସୁରୀରେ ପ୍ରବଳ ବରଫ ବର୍ଷା ସ୍ଥାନୀୟ ଲୋକଙ୍କ ସମସ୍ୟା ବଢାଇଥିବା ବେଳେ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

୧୯ବର୍ଷ ପରେ ସିମଲାରେ ଫେବ୍ରୁଆରୀ ମାସରେ ପ୍ରବଳ ତୁଷାରପାତ ହୋଇଛି । ଗତ ୧୨ଘଂଟାରେ ୫୭ସେଂଟିମିଟର ବରଫ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଏପରିକି ରାସ୍ତା ଘାଟ, ଘର ଦ୍ୱାର ସବୁଆଡେ ଧଳା ବରଫର ଆସ୍ତରଣ ଜମିରହିଛି । କୁଲ୍ଲୁ, ଲାହଲ ସ୍ପିତି, କିନ୍ନୋର ସବୁଆଡେ ଜାରି ରହିଛି ତୁଷାରପାତ ।

 ସିମଲାରେ ଲଗାତର ବରଫବର୍ଷା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ସିମଲା-କାଲକା ଟ୍ରେନରେ ବୁଲି ପ୍ରକୃତିର ମଜା ଉଠାଉଛନ୍ତି ପର୍ଯ୍ୟଟକ । ପାହାଡ ଓ ଜଙ୍ଗଲ ଭିତରେ ଜମିରହିଛି ବରଫର ଆସ୍ତରଣ ଏହାରି ଭିତରେ ଗତି କରୁଥିବା ଟ୍ରେନରେ ବୁଲୁଛନ୍ତି । ଉତ୍ତର ଭାରତରେ ଜାରି ରହିଛି ବରଫବର୍ଷା । ବରଫ ବର୍ଷା ସ୍ଥାନୀୟ ଲୋକଙ୍କ ସମସ୍ୟା ବଢାଇଥିବା ବେଳେ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।