କନକ ବ୍ୟୁରୋ : ଜାଡରେ ଥରୁଛି ସାରା ଉତର ଭାରତ । ଏହା ମଧ୍ୟରେ ଜାମ୍ମୁକାଶ୍ମୀରରୁ ବରଫ ପାତର ଯେଉଁ ଚିତ୍ର ଆସିଛି, ତାହା ଆପଣଙ୍କ ଆଖିକୁ ତାଜା କରିଦେବ । ଲଗାତର ୪ ଦିନ ଧରି ଶ୍ରୀନଗରରେ ଜାରି ରହିଛି ବରଫ ପାତ । ଫଳରେ ଜାମ୍ମୁ-ଶ୍ରୀନଗରକୁ ସଂଯୋଗ କରୁଥିବା ରାଜପଥରେ ଗମନାଗମନ ପୁରା ଠପ୍ ହୋଇଯାଇଛି ।
ବରଫ ଚାଦରରେ ଘୋଡେଇ ହୋଇଛି ଶ୍ରୀନଗର ସହର । ସାରା ସହରରେ ବରଫ ଭର୍ତି । ଯୁଆଡେ ନଜର ପକାଇବେ ଆପଣଙ୍କୁ କେବଳ ଆଖି ସାମ୍ନାରେ ଆସିବ ଧୋବ ଫର ଫର ଅଂଚଳ । ରାସ୍ତା ଉପରେ ବରଫ । ଗଛ ଉପରେ ବି ବରଫ । ଘରର ଛାତ ଉପରେ ବି ଜମି ରହିଛି ବହଳିଆ ବରଫ ଆସ୍ତରଣ । ଏପରି ସ୍ଥିତିରେ ରାସ୍ତାର ଛାତି ଚିରି ଆଗକୁ ଦୌଡୁଥିବା ଗାଡି ଗୁଡିକ ହଠାତ୍ ଅଟକି ଯାଇଛନ୍ତି । ତା ଉପରେ ବି ବସିଗଲାଣି ବରଫର ବହଳିଆ ଆସ୍ତରଣ ।
୪ ଦିନ ଧରି ଦିନ ରାତି ଲାଗି ରହିଛି ବରଫ ବର୍ଷା । ଏପଟେ ଜାମ୍ମୁରୁ ଶ୍ରୀନଗରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ବି ଜମି ଯାଇଛି ୩ ଫୁଟ ଉପରେ ବରଫ ଆସ୍ତରଣ । ଜଣା ପଡୁନି ରାସ୍ତା କୁଆଡେ । ଗାଡି ଛାଡି ଯିବେ ତ ଯିବେ କୁଆଡେ, ଖାଇବେ କଣ । ଏପରି ସ୍ଥିତିରେ ବିନା ଖାଦ୍ୟରେ ବରଫ ଭିତରେ ଅଟକି ରହିଛନ୍ତି ଶହ ଶହ ମାଲବାହୀ ଗାଡି । ରାସ୍ତାରୁ ବରଫ ହଟିଲେ ଆଗକୁ ଗଡିବ ଗାଡି । ପ୍ରବଳ ବରଫପାତ ଭିତରେ ଘରୁ ବାହାରିବା ମୁସ୍କିଲ୍, ସେତେବେଳେ ପ୍ରଶାସନ ପାଇଁ ଲୋକଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ପହଁଚାଇବା ଚ୍ୟାଲେଂଜ ହୋଇଯାଇଛି ।
ବରଫ ଭିତରେ ଫସିଯାଇଛି ଜୀବନ । ଘାଟିରୁ ଏହା ଭିତରେ ଆସିଛି ଆଉ ଏକ ସଂଘର୍ଷର ଚିତ୍ର । ରାସ୍ତା ଉପରୁ ବରଫ କାଟି ରୋଗୀଙ୍କୁ ଡାକ୍ତରଖାନାକୁ ବାଟ କାଢି ନେଇଛନ୍ତି ଯବାନ । ଏ କାହାଣୀ ଜାମ୍ମୁକାଶ୍ମୀରରୁ ପ୍ରତି ବର୍ଷ ଆସିଥାଏ । ବରଫ ଦେଖିଲେ ଯେତିକି ରୋମାଂଚ ଆସିଥାଏ, ଯବାନଙ୍କ ଏହି ସଂଘର୍ଷର କଥା ନଜରକୁ ଆସିଲେ ସେତିକି ଗର୍ବ ବି ଲାଗିଥାଏ ।