କେରଳରେ ଭୟଙ୍କର ବନ୍ୟା ପରିସ୍ଥିତି । ୨୬ ମୃତଦେହ ଉଦ୍ଧାର, ସହାୟତା ପାଇଁ ପ୍ରତିଶ୍ରୁତି ଦେଲେ କେନ୍ଦ୍ର ଗୃହମନ୍ତ୍ରୀ

165

କନକ ବ୍ୟୁରୋ : କେରଳରେ ପୁଣି ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଭୀଷଣ ବର୍ଷା କାରଣରୁ ଅଚାନକ ବନ୍ୟା ଆସି କିଛି ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହୋଇଛି । ଏଭଳି ପରିସ୍ଥିତିରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ନିଖୋଜ ଥିବା ସୂଚନା ମିଳିଛି ।

ଏନେଇ ରାଜ୍ୟ ରାଜଧାନୀରେ ଜରୁରୀ ବୈଠକ କରିବା ପରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କହିଛନ୍ତି କି, ରାଜ୍ୟର କିଛି ଅଞ୍ଚଳରେ ଭୟାନକ ପରିସ୍ଥିତି ରହିଛି । ଲୋକଙ୍କୁ ଉଦ୍ଧାର କରିବା ଓ ପାଣିଘେରରେ ରହିଥିବା ଲୋକଙ୍କୁ ସହାୟତା ଯୋଗାଇବାକୁ ରାଜ୍ୟ ସରକାର ଯଥା ସମ୍ଭବ ଚେଷ୍ଟା ଚଳାଇଛନ୍ତି । ଏହାସହ ସେନା, ନୌସେନା ଓ ବାୟୁସେନାର ସାହାଯ୍ୟ ଲୋଡୁଥିବା କଥା ବିଜୟନ କହିଛନ୍ତି । ଏହାସହ ପ୍ରଭାବିତ ଜିଲ୍ଲାମାନଙ୍କରେ ରିଲିଫ୍ କ୍ୟାମ୍ପ ସ୍ଥାପନ କରାଯାଇଥିବା କଥା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ସେନା, ଏନଡିଆରଏଫ, ପୁଲିସ ଏବଂ ଅଗ୍ନିଶମ ବାହିନୀ ସ୍ଥାନୀୟ ଲୋକଙ୍କ ସହ ରବିବାର ସକାଳୁ କୋଟାୟାମ ଜିଲ୍ଲାର କୁଟିକାଲ ଏବଂ ଇଡୁକି ଜିଲ୍ଲାର କୋକକାୟାରଠାରେ ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଛନ୍ତି । ପ୍ରବଳ ବର୍ଷା ସହିତ ଭୂସ୍ଖଳନ ହେତୁ ୧୨ରୁ ଉର୍ଧ୍ଵ ଲୋକ ନିଖୋଜ ଥିବା ସୂଚନା ମିଳିଛି। କେରଳ ସ୍ଥିତି ଦେଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଅନ୍ୟପକ୍ଷରେ, ଅକ୍ଟୋବର ୧୭, ୧୮ ଏବଂ ୧୯ ପାଇଁ ଉତ୍ତରାଖଣ୍ଡର ସମସ୍ତ ୧୩ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରେଡ ଆଲର୍ଟ ଜାରି କରିଛି। ଫଳସ୍ୱରୂପ ଚମୋଲି ପ୍ରଶାସନ ଦ୍ୱାରା ବଦ୍ରିନାଥ ଯାତ୍ରା ପାଣ୍ଡୁକେଶ୍ୱରରେ ବନ୍ଦ କରାଯାଇଛି ।

ଅନ୍ୟପଟେ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଗର୍ଗ ଶନିବାର ଦିନ ପଠାନମଥିଟ୍ଟା ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଥିଲେ । ଯେଉଁଥିରେ ଜିଲ୍ଲାର ତଳିଆ ଅଞ୍ଚଳରେ ଜଳ ନିଷ୍କାସନ ନେଇ ଆଲୋଚନା କରାଯାଇଥିଲା । କହିରଖୁ କି ପଡୋଶୀ ଜିଲ୍ଲା କୋଟ୍ଟୟମ ଭଳି ପଠାନମଥିଟ୍ଟାରେ ବି ବନ୍ୟା ଭଳି ପରିସ୍ଥିତି ଦେଖା ଦେଇଛି । କେରଳ ସୀମା ନିକଯ ଆରବ ସାଗର ର ଦକ୍ଷୀଣ ପୂର୍ବ ରେ କମ୍ ଚାପ କାରଣରୁ ପ୍ରବଳ ବର୍ଷାରେ ପଠରନଥିଟ୍ଟା ଜିଲ୍ଲାର ବିଭିନ୍ନ ଅଞ୍ଚଳ ଏବେ ଜଳମଗ୍ନ ହୋଇ ରହିଛି ।