କନକ ବ୍ୟୁରୋ: ବିଶ୍ୱର ଅର୍ଦ୍ଧେକ ଦେଶରେ ପ୍ରଚଣ୍ଡ ଖରାରେ ଲୋକ ସିଝୁଥିବାବେଳେ ଫିଲିପାଇନ୍ସରେ ବର୍ଷା ତାଣ୍ଡବ ଲୀଳା ରଚିଛି । ପ୍ରବଳ ବର୍ଷା ସାଙ୍ଗକୁ ଝଡରେ ଅନେକ ସ୍ଥାନ ଜଳବନ୍ଦୀ ହୋଇ ରହିଛି । ବିଭିନ୍ନ ଇଲାକାରେ ଭୀଷଣ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ଭୂସ୍ଖଳନ ଯୋଗୁଁ ପାଖାପାଖି ୨୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।
ସରକାରୀ ସୂଚନା ମୁତାବକ, ସେଣ୍ଟ୍ରାଲ ଲିଟ୍ ପ୍ରାନ୍ତର ଦୁଇଟି ଗାଁରେ ଭୂସ୍ଖଳନ ହେବାରୁ ୨୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣଙ୍କର ଝଡବର୍ଷାରେ ମୃତ୍ୟୁ ହୋଇଛି । ଏହାସହ ଅନ୍ୟ ୬ଜଣ ନିଖୋଜ ଥିବା ଜଣାପଡିଛି । ବନ୍ୟା ଯୋଗୁଁ ଅଧିକାଂଶ ଇଲାକା ପାଣିରେ ବୁଡି ରହିଥିବାରୁ ୩୦,୦୦୦ ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ଜାରି ରହିଛି ।
ପ୍ରତିବର୍ଷ ଫିଲିପାଇନ୍ସରେ ଝଡତୋଫାନ ଘଟି ଅନେକ ଧନଜୀବନ କ୍ଷୟକ୍ଷତି ହେଉଛି । ଜୁନ୍ ମାସ ଆରମ୍ଭରୁ ଏପରି ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଉଥିବାବେଳେ କିଛି ଝଡ ଖରାଦିନେ ହିଁ ସୃଷ୍ଟି ହୋଇଥାଏ ।