ବାତ୍ୟା ‘ମିଗଜୋମ’ ପ୍ରଭାବରେ ଚେନ୍ନାଇରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଘରେ ପଶିଲା ପାଣି, ବୁଡିଗଲା ବଡ ବଡ ଗାଡି ।

324

କନକ ବ୍ୟୁରୋ: ବାତ୍ୟା ମିଗଜୋମ୍ ପ୍ରଭାବରେ ଚେନ୍ନାଇର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି ସାଧାରଣ ଜୀବନ । ବଙ୍ଗୋପସାଗରରେ ସକ୍ରିୟ ବାତ୍ୟା ମିଗଜୋମ୍ ଅଧିକ ଘନୀଭୂତ ହେବା ସହ ଭୀଷଣ ବାତ୍ୟାର ରୂପ ନେଇଛି । ଦକ୍ଷିଣପଶ୍ଚିମ ପାଶ୍ୱବର୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୦ କଲୋମିଟର ବେଗରେ ଆଗକୁ ବଢୁଛି ବାତ୍ୟା । ତେବେ ଗୁରୁବାର ପୂର୍ବାହ୍ନରେ ଏହା ଆନ୍ଧ୍ରର ନେଲୋର ଓ ମଚ୍ଛିଲିପଟ୍ଟନମ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି ।

  • ବାତ୍ୟା ‘ମିଗଜୋମ୍’ର ପ୍ରଭାବ
  • ବୁଡ଼ିଲା ଚନ୍ନୋଇ, ଭାସିଲା କାର

ପ୍ରବଳ ବର୍ଷାରେ ଉବୁଟୁବୁ ଚେନ୍ନାଇ । ଯୁଆଡେ ଚାହିଁଲେ ଖାଲି ପାଣି ଆଉ ପାଣି । ବାତ୍ୟା ମିଗଜୋମର ପ୍ରଭାବ ଚେନ୍ନାଇରେ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ଯାହା ଫଳରେ ଅନେକ ସ୍ଥାନରେ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଛି । କେଉଁଠି ଘର ଭିତରେ ବର୍ଷା ପାଣି ପସିଛି, ତ ପୁଣି କେଉଁଠି ପାଣିରେ କାର ଭାସିବାର ଦୃଶ୍ୟ ସାମ୍ନାକୁ ଆସିଛି । ବିଭିନ୍ନ ସ୍ଥାନରେ ରାସ୍ତାରେ ପାଣି ଚାଲୁଥିବାର ଦେଖିବାକୁ ମିଳିଛି । ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବାରୁ ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ରାସ୍ତା ଉପରେ ଅନେକ ଗାଡି ଅଟକି ରହିଛି । ଆମ୍ବୁଲାନ୍ସ ମଧ୍ୟ ଯିବାରେ ଅସୁବିଧା ସୃଷ୍ଟି ହୋଇଛି । ବଡ଼ ବଡ଼ ଗାଡି ସହ କାର ଓ ଅଟୋ ମଧ୍ୟ ବୁଡିଯାଇଥିବାର ଦେଖିବାକୁ ମିଳିଛି । ଚେନ୍ନାଇ ଏୟାରପୋର୍ଟ ରନୱେ ମଧ୍ୟ ବର୍ଷା ପାଣିରେ ବୁଡିଯାଇଛି ।

ବର୍ଷା ସହ ପବନ ମଧ୍ୟ ହେଉଛି । ଫଳରେ ରାସ୍ତାରେ ଅନେକ ଗଛ ଭାଙ୍ଗି ପଡ଼ିଛି । ରାସ୍ତା ଉପରୁ ଗଛକୁ ବାହାର କରିବା ପାଇଁ ଯୁଦ୍ଧକାଳୀନ ଭିତିରେ ଉଦ୍ୟମ ଆରମ୍ଭ ହୋଇଛି । ବାତ୍ୟା ପ୍ରଭାବରେ ବର୍ଷା ହେଉଥିବାରୁ ଲୋକଙ୍କୁ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦିଆଯାଇଛି । ବଙ୍ଗୋପସାଗରରେ ସକ୍ରିୟ ବାତ୍ୟା ମିଗଜୋମ୍, ଅଧିକ ଘନୀଭୂତ ହେବା ସହ ଭୀଷଣ ବାତ୍ୟାର ରୂପ ନେଇଛି । ଦକ୍ଷିଣପଶ୍ଚିମ ପାଶ୍ୱବର୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଉତର-ଉତରପଶ୍ଚିମ ଦିଗରେ ଘଂଟାପ୍ରତି ୧୦ କଲୋମିଟର ବେଗରେ ଆଗକୁ ବଢୁଛି । ଏହା ଗୁରୁବାର ପୂର୍ବାହ୍ନରେ ଆନ୍ଧ୍ରର ନେଲୋର ଓ ମଚ୍ଛିଲିପଟ୍ଟନମ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଏହି ସମୟରେ ପବନର ଘଂଟାପ୍ରତି ବେଗ ୯୦ରୁ ୧୦୦ କିଲୋମିଟର ରହିପାରେ ।

ବାତ୍ୟା ମିଗଜୋମକୁ ନଜରରେ ରଖି ସତର୍କ ସୂଚନା ଜାରି କରାଯାଇଛି । ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଦକ୍ଷିଣ ଓଡିଶା ଓ ପୁଡ୍ଡୁଚେରୀରେ ଏହାର ପ୍ରଭାବ ପଡିବ । ପୁଡ୍ଡୁଚେରୀରେ ପ୍ରଶାସନ ତରଫରୁ ସମୁଦ୍ର କୂଳବର୍ତୀ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି । ଏଥିସହ ସମୁଦ୍ରକୁ ଯିବାକୁ ମତ୍ସଜୀବୀଙ୍କୁ ବାରଣ କରାଯାଇଛି ।