୭ରୁ ୯ ଯାଏ ରାଜ୍ୟରେ ପ୍ରବଳ ବର୍ଷା : ଆଜି ୧୩ଟି ଜିଲ୍ଲାରେ ବର୍ଷା ନେଇ ଆକଳନ କଲା ପାଣିପାଗ ବିଭାଗ

187

କନକ ବ୍ୟୁରୋ : ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଜାରି ରହିବ । ଆସନ୍ତା ୭, ୮ ଓ ୯ ତାରିଖ ଦିନ ରାଜ୍ୟରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ବର୍ଷା ହୋଇପାରେ । ୭ ତାରିଖ ଦିନଠାରୁ ବର୍ଷାର ବିସ୍ତୃତି ଓ ପରିମାଣ ବୃଦ୍ଧି ପାଇବ । ସେ ଦିନ ଉତ୍ତର ଉପକୂଳ ଓଡ଼ିଶାର ଜିଲ୍ଲା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, କୋରାପୁଟ, ମାଲକାନଗିରି ଓ ଜଗତସିଂହପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷିବ।

ସେହିଭଳି ୮ ତାରିଖ ଦିନ ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବରଗଡ଼ ଓ ସମ୍ବଲପୁର ଏବଂ ୯ ତାରିଖ ଦିନ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । କେନ୍ଦ୍ର ଆହୁରି କହିଛି, ୧୦ ତାରିଖରୁ ରାଜ୍ୟରେ ପବନର ଦିଗ ପରିବର୍ତ୍ତନ ହେବ। ଫଳରେ ରାଜ୍ୟରେ ବର୍ଷା ପାଇଁ ଆହୁରି ଅନୁକୂଳ ବାତାବରଣ ସୃଷ୍ଟି ହେବ । ଅନ୍ୟପଟେ ୧୨ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ବର୍ଷାର ପରିମାଣ ବଢ଼ିବ ବୋଲି ଆଶା କରାଯାଉଛି ।

ଅପରପକ୍ଷେ ରାଜ୍ୟରେ ଜୁନ୍‌ ଓ ଜୁଲାଇ ପ୍ରଥମ ସପ୍ତାହରେ ଭଲ ବର୍ଷା ହୋଇଥିଲେ ମଧ୍ୟ କିଛି କିଛି ଜିଲ୍ଲାରେ ଅଭାବୀ ବର୍ଷା ରେକର୍ଡ ହୋଇଛି। ଜୁନ୍‌ ୧ରୁ ଜୁଲାଇ ୫ ପର୍ଯ୍ୟନ୍ତ ରାଜ୍ୟରେ ପ୍ରାୟ ୨୨୦.୪ ମିମି ବର୍ଷା ହୋଇଥିବା ବେଳେ ଏହା ସ୍ବାଭାବିକଠାରୁ ୧୭% କମ୍‌ ରହିଛି । ଏହି ସମୟ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଭାବେ ୨୬୫.୪ ମିମି ବର୍ଷା ହୋଇଥାଏ । ଏ ପର୍ଯ୍ୟନ୍ତ ରାଜ୍ୟର ୧୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୧୪ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। ଏଥିସହ କୋରାପୁଟ ଓ ନୂଆପଡ଼ା ଆଦି ୨ଟି ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି । ତେବେ ଆସନ୍ତା ୩ ଦିନ ରାଜ୍ୟରେ ବର୍ଷା ଲାଗି ରହିବା ସହ ୧୨ ତାରିଖରୁ ହେବାକୁ ଥିବା ଲଘୁଚାପ ବର୍ଷା ଏହାର ଭରଣା କରିପାରିବ ବୋଲି ବିଶେଷଜ୍ଞମାନେ ଆଶା ପୋଷଣ କରିଛନ୍ତି ।

Comments are closed.