ବର୍ଷାର ପ୍ରକୋପ ଜାରି । ବଦ୍ରିନାଥ ଜାତୀୟ ରାଜପଥ, ଅଟଳ ଟନେଲ ବନ୍ଦ

240

କନକ ବ୍ୟୁରୋ: ଦେଶର ଉତ୍ତର ପଶ୍ଚିମ ଅଞ୍ଚଳରେ ଶନିବାର ଏବଂ ରବିବାର ପ୍ରବଳ ବର୍ଷା ହୋଇଛି । ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି । ଗୋଟିଏ ପଟେ ଦିଲ୍ଲୀରେ ବର୍ଷ ୪୧ ବର୍ଷର ରେକର୍ଡ ଭାଙ୍ଗିିସାରିଥିବା ବେଳେ ଅନ୍ୟପଟେ ଜାମ୍ମୁକାଶ୍ମୀର, ହିମାଚଳପ୍ରଦେଶ ସମେତ ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ହରିୟାଣାର ଗୁରୁଗ୍ରାମ, ଅମ୍ବାଲା ସମେତ ଅନେକ ଜିଲ୍ଲାରେ ରାସ୍ତା ପାଣିରେ ଧୋଇଯାଇଛି । ହିମାଚଳ ପ୍ରଦେଶରେ ବର୍ଷା ପରେ ବ୍ୟାସ ନଦୀ ବିପଦସ୍ତର ଉପରେ ପ୍ରବାହିତ ହେଉଛି । କାଙ୍ଗଡା, ମଣ୍ଡି ଏବଂ ଶିମଲାରେ ବିପଦସ୍ଥିତି ସହ ଲଢେଇ ପାଇଁ ଏନଡିଆରଏଫ ଏବଂ ଏସଡିଆରଏଫର ଟିମ୍ ଉପସ୍ଥିତ ରହିଛନ୍ତି । ରାଜ୍ୟରେ ୨୪ ଘଣ୍ଟାରେ ବର୍ଷା ସମ୍ବନ୍ଧିତ ଅଲଗା ଅଲଗା ଘଟଣା ସାମ୍ନାକୁ ଆସିଛି । ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି ।

ଶିମଲାରେ ୩ ଜଣ, ଚମ୍ବାରେ ଜଣେ ଏବଂ କୁଲ୍ଲୁରେ ଜଣଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଡଲହୌଜି-ପଠାନକୋଟ ରାଷ୍ଟ୍ରୀୟ ରାଜପଥରେ ବର୍ଷା ଯୋଗୁ ରାସ୍ତାଘାଟ ପ୍ରଭାବିତ ହୋଇଛି । ଏହା କାରଣରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ସେହିଭଳି ମନାଲିରେ ଅଟଳ ଟନେଲକୁ ମଧ୍ୟ ବନ୍ଦ କରିଦିଆଯାଇଛି ।