କନକ ବ୍ୟୁରୋ: ଦେଶର ଉତ୍ତର ପଶ୍ଚିମ ଅଞ୍ଚଳରେ ଶନିବାର ଏବଂ ରବିବାର ହୋଇଥିବା ପ୍ରବଳ ବର୍ଷା ପରେ ଅନେକ ଅଞ୍ଚଳରେ ଜଳମୟ ସ୍ଥିତି ଦେଖିବାକୁ ମିଳିଛି । ଗୋଟିଏ ପଟେ ଦିଲ୍ଲୀରେ ବର୍ଷା ୪୧ ବର୍ଷର ରେକର୍ଡ ଭାଙ୍ଗି ଥିବା ବେଳେ ଜାମ୍ମୁକାଶ୍ମୀରରୁ ନେଇ ହିମାଚଳ ଏହା ସହ ପଞ୍ଜାବ ଏବଂ ହରିୟାଣା. ରାଜସ୍ଥାନରେ ପ୍ରବଳବର୍ଷା ଦେଖିବାକୁ ମିଳିଛି । ହରିୟାଣାର ଗୁରୁଗ୍ରାମ, ଅମ୍ବାଲା ସମେତ ଅନେକ ସ୍ଥାନରେ ରାସ୍ତାରେ ପାଣି ଜମିରହିଛି । ହରିୟାଣାର ଯମୁନାନଗରରେ ୮୦ ଏମଏମ ବର୍ଷା ରେକର୍ଡ କରାଯାଇଛି । ରାସ୍ତା ପାଖରେ ଥିବା ଅନେକ ଘରେ ପାଣି ପସିଥିବା ମଧ୍ୟ ଦେଖିବାକୁ ମିଳିଛି ।

Advertisment

ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜଧାନୀ ଦିଲ୍ଲୀରେ ଗତ ୨ ଦିନ ଧରି ବର୍ଷା ହେବା ପରେ ୪୧ ବର୍ଷର ରେକର୍ଡ ଭାଙ୍ଗିସାରିଛି । ବିଭାଗର ସୂଚନା ଅନୁସାରେ ଦିଲ୍ଲୀରେ ଶନିବାର ସକାଳ ୮.୩୦ରୁ ରବିବାର ୮.୩୦ ଯାଏ ୨୪ ଘଣ୍ଟାରେ ୧୫୩ ମିମି ବର୍ଷା ରେକର୍ଡ ହୋଇଛି । ୧୯୮୨ ମସିହା ପରେ ପ୍ରଥମ ଥର ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଜୁଲାଇ ମାସରେ ଗୋଟିଏ ଦିନରେ ଏତେ ପରିମାଣର ବର୍ଷା ପ୍ରଥମ ଥର ଦେଖିବାକୁ ମିଳିଛି । ଦିଲ୍ଲୀରେ ୨୦୦୩ ଜୁଲାଇ ୧୦ରେ ୧୩୩.୪ ମିମି ବର୍ଷା ରେକର୍ଡ ହୋଇଥିଲା । ରାଜଧାନୀରେ ୨୧ ଜୁଲାଇ୧୯୫୮ରେ ୨୬୬.୨ ମିମି ବର୍ଷା ରେକର୍ଡ ହୋଇଥିଲା । ଯାହା ଜୁଲାଇରେ ସର୍ବାଧିକ ବର୍ଷା ।