ଆଜି ୮ଟି ଜିଲ୍ଲାରେ ପ୍ରବଳ ବର୍ଷିବ : ବଢିବ ପବନର ବେଗ, ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

4,922

କନକ ବ୍ୟୁରୋ : ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଥିବା ଲଘୁଚାପ ଆଜି ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଆଜି ରାତିରୁ ବର୍ଷା ଆରମ୍ଭ ହୋଇଯାଇଛି ।  ରାଜ୍ୟର ୮ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଦକ୍ଷିଣ ଉପକୂଳ ସହ ଦକ୍ଷିଣ ଓ ଉପକୂଳ ଓଡ଼ିଶାର ପ୍ରାୟ ସମସ୍ତ ସ୍ଥାନରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପା‌ଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହି ସମୟରେ ପବନର ବେଗ ୪୫ରୁ ୫୫ କିମି ରହିବ । ମଝିରେ ମଝିରେ ୬୦ କିମି ବେଗରେ ପବନର ଝଟ୍‌କା ଅନୁଭୂତ ହେବ । ସମୁଦ୍ର ମଧ୍ୟ ଅତ୍ୟନ୍ତ ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନଙ୍କ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

୮ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଜିଲ୍ଲାଗୁଡ଼ିକ ହେଲା, ମାଲକାନଗିରି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର। ଏହି ଜିଲ୍ଲାଗୁଡ଼ିକର ଅନେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ନେଇ ଜିଲ୍ଲାଗୁଡ଼ିକରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଦକ୍ଷିଣ ଉପକୂଳ ରାଜ୍ୟଗୁଡ଼ିକ ସମେତ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଅଧିଂକାଶ ସ୍ଥାନରେ ଆସନ୍ତାକାଲି ବର୍ଷା ହେବ। ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକର ବର୍ଷାର ପରିମାଣ କମ୍‌ ରହିବ। କିଛି କିଛି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ସେ କହିଛନ୍ତି ।

ପାଣିପାଗ ବିଶେ‌ଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଗତକାଲିର ଅବପାତ ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା କାକିନଡ଼ା ପାଖରେ ଗଭୀର ଅବପାତ ରୂପରେ ସ୍ଥଳଭାଗ ଅତିକ୍ରମ କରିବ। ମିଆଁମାର ନିକଟରେ ୧୫ରେ ଆଉ ଏକ ଘୂର୍ଣ୍ଣିବଳୟ ଓ ୧୭ରେ ଲଘୁଚାପ ସୃଷ୍ଟି ହେବ। ଏହା ପ୍ରଥମେ ଉତ୍ତର-ପଶ୍ଚିମ ଦିଗରେ ବଙ୍ଗୋପସାଗରରୁ ଆରବସାଗର ପର୍ଯ୍ୟନ୍ତ ବ୍ୟାପ୍ତି ହେବା ବେଳେ ୧୯ରେ ଉତ୍ତର ଦକ୍ଷିଣରେ ଓଡ଼ିଶା ଆନ୍ଧ୍ରପ୍ରଦେଶ ଉପକୂଳରେ ବିସ୍ତୃତ ରହିବ। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଓ ଉତ୍ତର ଆନ୍ଧ୍ର ଉପକୂଳ ଓ ଦକ୍ଷିଣ ଓଡ଼ିଶା ଆଡ଼କୁ ଆଗେଇବ। ଏହା ଅବପାତରେ ପରିଣତ ହେବାର ସମ୍ଭାବନା କମ୍ ‌। ୨୦ ବା ୨୧ ବେଳକୁ ଆଉ ଏକ ଲଘୁଚାପ ସେଇ ମିଆଁମାର ଉପକୂଳରେ ସୃଷ୍ଟି ହେବ। ଏହା ସମ୍ଭବତଃ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ବର୍ତ୍ତମାନର ଅବପାତ ପ୍ରଭାବ‌ରେ ଆସନ୍ତାକାଲି ଜଗତ୍‌ସିଂହପୁରଠାରୁ ଗଞ୍ଜାମ ପର୍ଯ୍ୟନ୍ତ ମଧ୍ୟମ ଓ ସ୍ଥାନେ ସ୍ଥାନେ ଭାରି, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଭଦ୍ରକ, କେନ୍ଦୁଝର ଓ ଗଜପତିରେ ମଧ୍ୟମଧରଣର ଓ ବାକି ଅଞ୍ଚଳରେ ସ୍ବଳ୍ପ ବର୍ଷା ହୋଇପାରେ । ୧୪ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବା ବେଳେ ୧୫ ଓ ୧୬ରେ ସ୍ବଳ୍ପ ବର୍ଷା ହୋଇପାରେ ବୋଲି ସେ କହିଛନ୍ତି ।