ମରୁଡ଼ି ଆଶଙ୍କା ଭିତରେ ଆଶ୍ୱସ୍ତି ଆଣିଲା ପାଣିପାଗ ବିଭାଗର ଆକଳନ : ରାଜ୍ୟର ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା 

1,312

କନକ ବ୍ୟୁରୋ : ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ନୂଆପଡ଼ା, କଳାହାଣ୍ଡି, କେନ୍ଦୁଝର, କନ୍ଧମାଳ ଓ ଦେଓଗଡ଼ ରହିଛି । ଉକ୍ତ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି । ଏଥିସହିତ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ମୟୁରଭଞ୍ଜ, କେନ୍ଦୁଝର ଓ କନ୍ଧମାଳ ଆଦି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି ।

ସେହିପରି ୧୯ରୁ ୨୦ ତାରିଖ ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୁରଭଞ୍ଜ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଭଦ୍ରକ, ଯାଜପୁର, ବାଲେଶ୍ବର, ଢ଼େଙ୍କାନାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କନ୍ଧମାଳ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ ଓ ଅନୁଗୁଳ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । ଏଥିପାଇଁ ଉକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ କରାଯାଇଛି ।

ଅନ୍ୟପକ୍ଷରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁଯାୟୀ, ଜୁନ୍‌ ୧ରୁ ଜୁଲାଇ ୧୮ମଧ୍ୟରେ ରାଜ୍ୟ‌ରେ ପାଖାପାଖି ୨୯୫.୪ ମିମି ବର୍ଷା ରେକର୍ଡ ହୋଇଛି । ଏହା ସ୍ବାଭାବିକ ବର୍ଷା ୪୦୫.୩ ମିମିଠାରୁ ୨୭% କମ୍‌ । କେନ୍ଦ୍ର କହିଛି ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୯ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ଉକ୍ତ ଜିଲ୍ଲାଗୁଡ଼ିକ ହେଲା ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଝାରସୁଗୁଡ଼ା, ବରଗଡ଼, ସୋନପୁର, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର ଓ ବଲାଙ୍ଗୀର। ଏଥିସହ ୬ଜିଲ୍ଲାରେ ୬୦%ରୁ କମ୍‌ ବର୍ଷା ରେକର୍ଡ ହୋଇଛି । ଭଦ୍ରକରେ ୫୯% କମ୍‌ ବର୍ଷା ରେକର୍ଡ ହୋଇଥିବା ବେଳେ ଯାଜପୁରରେ ୫୧%, କେନ୍ଦୁଝର ଓ ବଲାଙ୍ଗୀରରେ ୪୪%, ଗଜପତିରେ ୪୨% ଓ ସମ୍ବଲପୁରରେ ୪୦% ନିଅଣ୍ଟିଆ ବର୍ଷା ହୋଇଛି ।