ରାଜ୍ୟରେ ବଦଳିବ ପାଣିପାଗ । ଆସୁଛି ଲଘୁଚାପ, ୩ରୁ ପ୍ରବଳ ବର୍ଷିବ

1,033

କନକ ବ୍ୟୁରୋ : ନିଅଣ୍ଟିଆ ବର୍ଷା ଚାଷ ପ୍ରତି ଭୟଙ୍କର ବିପଦ ଟାଣି ଆଣିଛି। ଆଉ ସପ୍ତାହେ ଯଦି ଏଭଳି ସ୍ଥିତି ଲାଗିରହିବ, ତେବେ ପରିସ୍ଥିତି ଆହୁରି ଭୀଷଣ ହେବ, ଓଡ଼ିଶାରେ ଚାଷ ଉଜୁଡ଼ିଯାଇପାରେ। ୬ଟି ଜିଲ୍ଲାର ୨୫ଟି ବ୍ଲକ ସ୍ଥିତି ସଙ୍ଗିନ୍ ରହିଛି। ଏସବୁ ବ୍ଲକରେ ଚାଷୀ ଏବେ ବି ବର୍ଷାକୁ ଅପେକ୍ଷା କରିଛନ୍ତି। ଚାଷ ବିଳମ୍ବିତ ହୋଇଛି। ଏମିତି ପରିସ୍ଥିତିରେ ପାଣିପାଗ ବିଭାଗ କିନ୍ତୁ ଆଜି ପୂର୍ବାନୁମାନ କରିଛି ଯେ ଆସନ୍ତା ସପ୍ତାହରେ ରାଜ୍ୟରେ ଭୀଷଣ ବର୍ଷା ହେବ। ଏମିତି ଯେ କିଛି ନଦୀ ଫୁଲିଉଠିବା ବିଚିତ୍ର ନୁହେଁ। ଆସନ୍ତା ୪ ତାରିଖରେ ଓଡ଼ିଶା ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଛି। ମୌସୁମୀ ଟ୍ରଫ୍‌ ଉତ୍ତର ଦିଗରୁ ଦକ୍ଷିଣ ଦିଗକୁ ମୁହାଁଇବା ପାଇଁ ପରିବେଶ ଅନୁକୂଳ ହୋଇଥିବାରୁ ରାଜ୍ୟର ପାଣିପାଗରେ ପରିବର୍ତ୍ତନ ଆସିବ ଓ ବଡ଼ ବର୍ଷା ବି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା

ଏହି ସୂଚନା ଚାଷୀମାନଙ୍କୁ ଆଶ୍ୱସ୍ତ କରିଛି। ମୌସୁମୀ ମଧ୍ୟ ସକ୍ରିୟ ହେବାରେ ଏହା ସହଯୋଗ କରିପାରେ। ଓଡ଼ିଶାର ମାତ୍ର ଦୁଇଟି ଜିଲ୍ଲା ଅର୍ଥାତ୍ ଝାରସୁଗୁଡା ଓ ରାୟଗଡାରେ ସ୍ୱାଭାବିକ ବା ତା’ ଠାରୁ ଅଧିକ ବର୍ଷା ହୋଇଛି। ୧୨ ଜିଲ୍ଲାରେ ଅତି ବିକଟ ପରିସ୍ଥିତି ସୃଷ୍ଟି ହୋଇଛି। ୨୦% ରୁ ୫୧% ପର୍ଯ୍ୟନ୍ତ କମ୍ ବର୍ଷା ରେକର୍ଡ କରାଯାଇଛି। ଏ ମଧ୍ୟରୁ ପୁରୀ,ଖୋର୍ଧା, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ସୋନପୁର, କଟକ, ବାଲେଶ୍ୱର ସ୍ଥିତି ଟିକିଏ ଅଧିକ ସଙ୍ଗିନ୍। ଏଠାରେ ୩୦ %ରୁ ୫୧% ଯାଏ କମ୍ ବର୍ଷା ହୋଇଛି।

ଏପଟେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ ଆସନ୍ତା ୪ ତାରିଖ ଦିନ ଓଡ଼ିଶା ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ତେବେ ତାହା ୨୪ ଘଣ୍ଟା ପରେ ପଶ୍ଚିମ ଆଡ଼େ ସ୍ଥଳ ଭାଗକୁ ଗତି କରିବ। ଫଳରେ ୫ରେ ଓଡ଼ିଶା, ଛତିଶଗଡ଼ ଏବଂ ସଂଲଗ୍ନ ପୂର୍ବ ମହାରାଷ୍ଟ୍ର ଉପରେ ଲଘୁଚାପ ସୃଷ୍ଟି ହେବ। ଏହା ଫଳରେ ରାଜ୍ୟରେ ୩ ତାରିଖଠାରୁ ବର୍ଷା ଆରମ୍ଭ ହେବ। ୬ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗିରହିବ। ଉପକୂଳ ଅଞ୍ଚଳରେ ୩ରୁ ୫ ତାରିଖ‌ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୩ ରୁ ୬ ତାରିଖ ଯାଏଁ ବର୍ଷା ହେବ। ୫ ତାରିଖ ଦିନ ରାଜ୍ୟ‌ର ଅଧିକାଂଶ ସ୍ଥାନରେ ଭାରି ବର୍ଷା ହେବ। କେତେକ ସ୍ଥାନରେ ଅତିପ୍ରବଳ ବର୍ଷା ହୋଇପାରେ। ରାଜ୍ୟରେ ଏହି ବର୍ଷା ୧୨୦ ମିମିରୁ ଅଧିକ ହେବାର ସମ୍ଭାବନା ରହିଛି। ଏହା ଫଳରେ ଧିମେଇ ଯାଇଥିବା ଚାଷ ଓ ରୁଆ ବେଉଷା କାମ ଆଗେଇବ। ତେବେ ଉତ୍ତର ଉପକୂଳ ଭଦ୍ରକ ଓ ବାଲେଶ୍ୱରରେ ସବୁଠାରୁ କମ୍‌ ବର୍ଷା ହେବ। ଓଡ଼ିଶାର ପ୍ରମୁଖ ନଦୀମାନଙ୍କର ଉପର ମୁଣ୍ଡରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ନଦୀ ଫୁଲିପାରେ।