ମାଲକାନଗିରିରେ ଆହୁରି ଦୁଇ ଦିନ ବର୍ଷିବ । ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ପରେ ଜିଲ୍ଲାବାସୀଙ୍କୁ ସତର୍କ କରାଇଲେ ଜିଲ୍ଲାପାଳ : କହିଲେ ଆବଶ୍ୟକ ନଥିଲେ ବର୍ଷା ବେଳେ ଘରୁ ବାହାରନ୍ତୁ ନାହିଁ

208

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାକୁ ପୁଣି ବର୍ଷା ଆସୁଛି । ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଆହୁରି ଦୁଇ ଦିନ ବର୍ଷିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ ଜିଲ୍ଲା ପ୍ରଶାସନର ଚିନ୍ତା ବଢିଯାଇଛି । ଭୂତାଣୁ ସହ ଲଢେଇ ଜାରି ରହିଥିବା ବେଳେ ଗତ ୪ ଦିନର ଲଗାଣ ବର୍ଷା ଜିଲ୍ଲାବାସୀଙ୍କୁ ନୟାନ୍ତ କରି ସାରିଛି ।

ଏବେ ପୁଣି ମାଲକାନଗିରି ଜିଲ୍ଲାରେ ବର୍ଷା ପାଇଁ ସତର୍କତା ଜାରି ହୋଇଛି । ୧୩ ତାରିଖ ଦିନ କୋରାପୁଟ ଓ ମାଲକାନଗିରିରେ ବର୍ଷା ନେଇ ଅରେଂଜ ଆଲର୍ଟ ଜାରି ହୋଇଥିବା ବେଳେ ୧୪ ତାରିଖରେ ମାଲକାନଗିରି ସମେତ ୭ଟି ଜିଲ୍ଲା ପାଇଁ ଅରେଂଜ ଆଲର୍ଟ ଜାରି ହୋଇଛି । ମାଲକାନଗିରିରେ ଆଉ ୨ ଦିନ ପ୍ରବଳ ବର୍ଷିବ ବୋଲି ପାଣିପାଗ ବିଭାଗ ଆକଳନ କରିବା ପରେ ଜିଲ୍ଲାବାସୀଙ୍କୁ ସତର୍କ କରାଇଛନ୍ତି ଜିଲ୍ଲାପାଳ ମନିଷ ଅଗ୍ରୱାଲ । ସେ କହିଛନ୍ତି ଆବଶ୍ୟକ ନଥିଲେ ବର୍ଷା ବେଳେ କେହି ଘରୁ ବାହାରନ୍ତୁ ନାହିଁ ।

ମାଲକାନଗିରିରେ ବନ୍ୟା ପରିସ୍ଥିତି ସଙ୍ଗୀନ ହୋଇଛି । ଗତ ୪ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଶେଷକରିି ପୋଟେରୁ , କାଙ୍ଗରୁକୋଡା, ଏମଭି-୯୬, ପଙ୍ଗାମା ଭଳି ସ୍ଥାନରେ ୫ରୁ ୧୦ ଫୁଟର ଉଚରେ ବନ୍ୟାଜଳ ପ୍ରବାହିତ ହେଉଛି । ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ୩୨୬ ନମ୍ବର ଜାତୀୟ ରାଜପଥରେ ଗତକାଲି ଠାରୁ ଯାତାୟତ ଠପ୍ ହୋଇଯାଇଛି । କାଲିମେଳା ପଡିଆକୁ ବି ଯୋଗାଯୋଗ ଠପ ହୋଇଛି । ପୋଟେରୁରେ ରାସ୍ତାର ଉଭୟ ପଟରେ ଶତାଧିକ ଗାଡି ମୋଟର ଠିଆ ହୋଇ ରହିଛି । ସେପଟେ ନଦୀର ଜଳସ୍ତର ବଢୁଥିବା ଅଂଚଳରେ ପୋଲିସ ଡେଂଜର ଜୋନ୍ ର ସିଗନାଲ ଲଗାଇବା ସହ ରାସ୍ତା ଉପରେ ବ୍ୟାରିକେଡ୍ କରିଛି ପୋଲିସ । ପାଙ୍ଗାମ ବ୍ରିଜ ଉପରେ ପାଣି ।

ଲଗାଣ ବର୍ଷାରେ ବୁଡିଲା ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ଥିବା ପାଙ୍ଗାମ ବ୍ରିଜ । ପୋଲ ଉପରେ ଏବେ ପ୍ରବାହିତ ହେଉଛି ବନ୍ୟାପାଣି । ଫଳରେ ମାଲକାନଗିରି କୋରାପୁଟ ଯୋଗାଯୋଗ ବିଛିନ୍ନ ହୋଇଛି । ଗତ ୪ ଦିନ ହେବ ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ତେବେ ଗତକାଲି ରାତିରେ ପ୍ରବଳ ବର୍ଷା ପରେ ବିଭିନ୍ନ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ଘଟିଛି । ଫଳରେ ପାଙ୍ଗାମ ପୋଲ ଉପରେ ଏବେ ପ୍ରବାହିତ ହେଉଛି ବନ୍ୟାପାଣି । ଏପରି ସ୍ଥିତିର ପୋଲର ଉଭୟ ପଟରେ ଅଟକି ରହିଛି ଗାଡି ମୋଟର । ବନ୍ଦ ରହିଛି ଗାଡି ଚଳାଚଳ ।