କନକ ବ୍ୟୁରୋ : ପୋଲ ଉପରେ ବହୁଛି ପାଣି । ଆନ୍ଧ୍ର ଓ ତେଲେଙ୍ଗାନା ରାଜ୍ୟକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବର୍ଷାରେ ବେହାଲା ମାଲକାନଗିରି ଜିଲ୍ଲାର କାଲିମେଳା ଅଂଚଳ । ଏମ-ଭି-୯୬ରେ ପୋଲ ଉପରେ ପ୍ରବାହିତ ହେଉଛି ୬ ଫୁଟ୍ର ବନ୍ୟା ପାଣି । ୩୨୬ ନମ୍ବର ଜାତୀୟ ରାଜପଥରେ ପାଣି ଜମି ରହିଥିବାରୁ ଉଭୟ ପାଶ୍ୱର୍ରେ ଅଟକି ରହିଛି ଯାନବାହାନ ।

Advertisment

ବର୍ଷାରେ ବଲାଙ୍ଗୀରର ହାଲ ବେହାଲ ହୋଇଛି । ପ୍ରବଳ ଓ ଲଗାଣ ବର୍ଷା ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି । ଘର ଭିତରେ ପାଣି ଲହଡି ମାରୁଛି । ସେପଟେ ଜିଲ୍ଲାରେ ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସରକାରୀ, ବେସରକାରୀ ସ୍କୁଲ ସହ ସବୁ ଅଙ୍ଗନୱାଡି କେନ୍ଦ୍ର ଛୁଟି ଘୋଷଣା କରିଛନ୍ତି ବଲାଙ୍ଗୀର ଜିଲ୍ଲାପାଳ ।

ଲଗାଣ ବର୍ଷା ଯୋଗୁଁ ରାୟଗଡା ଜିଲ୍ଲାରେ କୃତ୍ରିମ ବନ୍ୟା । ମୁନିଗୁଡ଼ାର ତଳିଆ ଅଂଚଳରେ ପାଣି ଜମି ରହିଛି । ଶୁଣ୍ଢିସାହିରେ ଡ୍ରେନ୍ ନଥିବାରୁ ସହରର ବିଭିନ୍ନ ସ୍ଥାନରେ କୃତ୍ରିମ ବନ୍ୟା ଦେଖିବାକୁ ମିଳିଛି । ରାସ୍ତାରେ ତିନି ଫୁଟ ଉଚ୍ଚର ପାଣି ଜମି ରହିଛି । ସ୍କୁଲ କଲେଜ ପିଲା ସେହି ପାଣିରେ ପଶି ଯିବାକୁ ବାଧ୍ୟ ହେଉଛନ୍ତି ।

ବର୍ଷା ବେଳେ ଅଘଟଣ । କଳାହାଣ୍ଡିରେ କାନ୍ଥ ଭୁଷୁଡ଼ି ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଲାଞ୍ଜିଗଡ଼ ବ୍ଲକ ତୁମେରମୁଣ୍ଡା ଗାଁର ରୁଷି ସାହୁ ଘରେ ଶୋଇଥିବା ସମୟରେ ତାଙ୍କ ଉପରେ କାନ୍ଥ ପଡ଼ିଯାଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ କାନ୍ଥ ତଳୁ ଉଦ୍ଧାର କରି ମେଡ଼ିକାଲ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।

ବର୍ଷା ହେଲା କାଳ, ଭୁଷୁଡ଼ି ପଡ଼ିଲା ସ୍କୁଲ କାନ୍ଥ । ଦୁର୍ଘଟଣାରୁ ଅଳ୍ପକେ ବର୍ତିଲେ ୨୮ ଛାତ୍ରଛାତ୍ରୀ । କନ୍ଧମାଳ ବାଲିଗୁଡ଼ା ବ୍ଲକ କିଲୁପଡ଼ାରେ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହ ଭୁଷୁଡ଼ି ପଡ଼ିଛି । ବିଦ୍ୟାଳୟ ପାଖରେ ଛାତ୍ରଛାତ୍ରୀ ଠିଆ ହୋଇଥିବା ବେଳେ ଏହି ଅଘଟଣ ଘଟିଥିଲା ।

ବର୍ଷା ମାଡ ଖାଇ ଭୁଶୁଡ଼ି ପଡ଼ିଲା ଘରର କାନ୍ଥ । ଅଳ୍ପକେ ବଂଚି ଯାଇଛି ଗୋଟିଏ ପରିବାରର ଜୀବନ । ପୁରୀ କୃଷ୍ଣପ୍ରସାଦ ବ୍ଲକ ଗୋମୁଣ୍ଡିଆ ଗାଁରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ମାଟି କାନ୍ଥଟି ପଡିଯାଇଛି । ଗୋମୁଣ୍ଡିଆ ଗାଁ ଅମୂଲ୍ୟ ପଣ୍ଡାଙ୍କ ଘର କାନ୍ଥ ଭାଙ୍ଗି ପଡ଼ଛି ।

ଘୂର୍ଣ୍ଣିବଳୟ ଯୋଗୁଁ ନବରଙ୍ଗପୁରରେ ଜାରି ରହିଛି ପ୍ରବଳ ବର୍ଷା । ଲୋକେ ଘରୁ ବାହାରି ପାରୁନାହାନ୍ତି । ହାଟବଜାର ଖାଲି ପଡିଛି । ମୈଦଲପୁର ସାପ୍ତାହିକ ହାଟ ଜନ ଶୂନ୍ୟ ହୋଇପଡିଛି । ଗ୍ରାମୀଣ ଅଂଚଳର ମାଝୀଗୁଡା, ଖଜୁରୀ, ବାର୍ଲି, ପିତାରୀଗୁଡା, ଚରାମୂଳା, କଟିଆଗୁଡା ଆଦି ଅଂଚଳର ପୋଲ ଉପରେ ପାଣି ଚାଲୁଥିବାରୁ ବିଭିନ୍ନ ସ୍ଥାନକୁ ଗମନାଗମନ ପ୍ରଭାବିତ ହୋଇଛି ।

କୋରାପୁଟ ନନ୍ଦପୁର ବ୍ଲକ ଅନ୍ତର୍ଗତ ପାଡୁଆରୁ ହାତିବାରୀ ପଂଚାୟତକୁ ସଂଯୋଗ କରୁଥିବା ଏକମାତ୍ର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ପୋଲ ଭାଙ୍ଗି ଯାଇଛି । ଫଳରେ ହାତିବାରୀ ପଂଚାୟତ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ଼ିଛି । ତୋଟାଗୁଡା, କଣ୍ଡରା, ହରିଡାଗୁଡା, ହାତିବାରୀ, ଏନ୍ତାବାରୀ, ନନ୍ଦିଗୁଡା ସମେତ ଏକାଧିକ ଗ୍ରାମ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ଭାବରେ ବିଛିନ୍ନ ହୋଇଯାଇଛି । ହାତିବାରୀ ପଂଚାୟତ ପାଇଁ ଆସୁଥିବା ରାସନ ଚାଉଳ ବୋଝେଇ ଗାଡ଼ି ପଂଚାୟତ ଅଫିସରେ ପହଂଚି ପାରିନଥିବାରୁ ଆଶ୍ରମପୁଟ ଆଶ୍ରମ ବିଦ୍ୟାଳୟରେ ରଖାଯାଇଛି ।

ଦକ୍ଷିଣ ଓଡିଶା ଭଳି ଉପକୂଳ ଓଡିଶାରେ ମଧ୍ୟ ବର୍ଷା ହୋଇଛି । ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । କଟକପୁର ଓ ଅସ୍ତରଙ୍ଗରେ ଆକାଶ ମେଘାଛନ୍ନ ରହିଥିବା ବେଳେ ବର୍ଷା ଲାଗି ରହିଛି
ବଲାଙ୍ଗୀର ଜିଲ୍ଲାରେ ଭାରି ବର୍ଷା ହୋଇଛି । ପାଟଣାଗଡ ଅଂଚଳରେ ପୋଲ ଉପରେ ସୁସୁ ହୋଇ ବହୁଛି ବନ୍ୟାଜଳ । ଫଳରେ ଯାତାୟତ ପ୍ରଭାବିତ ହୋଇଛି ।