ଆଣ୍ଡାମାନ ସାଗର ଉପରେ ସ୍ଥିର ରହିଛି ଘୂର୍ଣ୍ଣିବଳୟ : ସମାନ ସ୍ଥାନରେ ସ୍ଥିର ରହିଥିବାରୁ ଲଘୁଚାପ ସୃଷ୍ଟିରେ ହେଉଛି ବିଳମ୍ବ

୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ସମ୍ଭାବନା

384

କନକ ବ୍ୟୁରୋ : ଆଣ୍ଡାମାନ ସାଗର ଉପରେ ସ୍ଥିର ରହିଛି ଘୂର୍ଣ୍ଣିବଳୟ । ବର୍ତ୍ତମାନ ଘର୍ଣ୍ଣିବଳୟ ସମାନ ସ୍ଥାନରେ ସ୍ଥିର ରହିଥିବାରୁ ଲଘୁଚାପ ସୃଷ୍ଟିରେ ହେଉଛି ବିଳମ୍ବ । ୧୩ ତାରିଖ ଆଡକୁ ବଙ୍ଗୋପସାଗର ଏବଂ ଉତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନ ରହିଛି । ଏହା ପଶ୍ଚିମ ଉତ୍ତରମୁହାଁ ହୋଇ ୧୫ ତାରିଖ ଆଡକୁ ଏକ ୱେଲମାର୍କ ଲୋପ୍ରେସରରେ ପରିଣତ ହୋଇପାରେ । ଏହି ୱେଲମାର୍କ ଲୋପ୍ରେସର ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଦ୍ରପ୍ରଦେଶରେ ପହଂଚିବାର ସମ୍ଭାବନା ରହିଛି ।

ଆକଳନରୁ ଜଣାପଡ଼ୁଛି ଯେ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପବଳୟ ୧୩ ତାରିଖ ପର୍ଯ୍ୟନ୍ତ ପ୍ରାୟ ସେହି ସ୍ଥାନରେ ହିଁ ରହିବ । ୧୩ ତାରିଖରେ ଲଘୁଚାପ କ୍ଷେତ୍ର ହୋଇ ୧୫ତାରିଖରେ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେବ । ୧୭ତାରିଖ ସକାଳେ ଅବପାତରେ ପରିଣତ ହୋଇ ୧୮ ସଂଧ୍ୟା ପର୍ଯ୍ୟନ୍ତ ସେହି ଅବସ୍ଥାରେ ରହିବ । ୧୭ସଂଧ୍ୟାରୁ ୧୮ ସଂଧ୍ୟା ମଧ୍ୟରେ ଉପକୂଳ ଅତିକ୍ରମ କରିବ। ବର୍ତ୍ତମାନର ଆକଳନ କହୁଛି, ଏହି ସିଷ୍ଟମ ପୁରୀଠାରୁ ଦୀଘା ମଧ୍ୟରେ ଉପକୂଳ ସ୍ପର୍ଶ କରିବ । ଯଦି ପଶ୍ଚିମବଙ୍ଗମୁହାଁ ହୁଏ, ତେବେ ବି ଏହା ଓଡ଼ିଶା ଉପକୂଳ ସମାନ୍ତରାଳରେ ଗତି କରିବା ହେତୁ ରାଜ୍ୟରେ ପ୍ରଭାବ ରହିବ ।

ରାଜ୍ୟରେ ୧୫ ତାରିଖରେ ଦକ୍ଷିଣ ଉପକୂଳ ଓ ୧୬ରେ ସମସ୍ତ ଉପକୂଳରେ ପାଗ ପରିବର୍ତ୍ତନ ହେବ। ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ବର୍ଷା ହେବ। ସମୁଦ୍ର ସଂଲଗ୍ନ ଅଞ୍ଚଳରେ ୧୭ରୁ ୧୯ପର୍ଯ୍ୟନ୍ତ ପ୍ରବଳ ବର୍ଷା ସହ ବାଲେଶ୍ବରରେ ଅତି ପ୍ରବଳ ବର୍ଷିବ । ରାଜ୍ୟର ବାକି ଅଞ୍ଚଳରେ ମଧ୍ୟମଧରଣର ବର୍ଷା ହୋଇପାରେ। ପଶ୍ଚିମବଙ୍ଗର ସଂଲଗ୍ନ ୪ଟି ଜିଲ୍ଲାରେ ସମୁଦାୟ ବର୍ଷା ୩୦୦ ମିମିରୁ ଅଧିକ ହୋଇପାରେ । ଉତ୍ତର ଭାରତ ମହାସାଗର ଓ ସଂଲଗ୍ନ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ତଥା ସେମାନଙ୍କ ଉପରିସ୍ଥ ବାୟୁମଣ୍ଡଳରେ ପାଗରେ ଶୀଘ୍ର ପରିବର୍ତ୍ତନ ସହ ଦେଶରେ ମୌସୁମୀର ପ୍ରତ୍ୟାବର୍ତ୍ତନ ଜାରି ରହିଥିବାରୁ ଆଗକୁ ଏହି ଆକଳନରେ ପରିବର୍ତ୍ତନ ହୋଇପାରେ ବୋଲି ଡ. ପଶୁପାଳକ କହିଛନ୍ତି । ତେବେ ଏନେଇ ଆସନ୍ତା ୧୪ ତାରିଖରେ ଅଧିକ ସଠିକ୍‌ କହି ହେବ ବୋଲି ସେ କହିଛନ୍ତି ।

ଭାରତୀୟ ପାଣିପାଗ ବିଭାଗର ସୂଚନା ମୁତାବକ, ଉତ୍ତର ଆଣ୍ଡାମାନ ଓ ସଂଲଗ୍ନ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୫.୮ କିମି ଉଚ୍ଚତାରେ ରହିଛି। ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବ । ଏହାପରେ ଏହା ଧୀରେଧୀରେ ଅଧିକ ଘନୀଭୂତ ହେବ ଓ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଗତି କରିବ ।