ଉତର ପଶ୍ଚିମ ବଙ୍ଗୋପସାଗରେ ଦାନାବାନ୍ଧୁଛି ଆଉ ଏକ ଲଘୁଚାପ: ୨୪ରୁ ପୁଣି ପ୍ରବଳ ବର୍ଷା ସମ୍ଭାବନା; ଆଜି ବି ରାଜ୍ୟର ୮ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସୂଚନା

ଆଗକୁ ପୁଣି ବଢିଲା ବନ୍ୟା ଭୟ

611

କନକ ବ୍ୟୁରୋ: ଆସନ୍ତାକାଲି ଉତର ପଶ୍ଚିମ ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଇଏମଡିର ପୂର୍ବାନୁମାନ ହିସାବରେ ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଦେବଗଡ, କେଉଁଝର, ମୟୂରଭଂଜ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।

ସେହିପରି ଆସନ୍ତାକାଲି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଢେଙ୍କାନାଳ, କେଉଁଝର, ମୟୂରଭଂଜ ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ପରବର୍ତୀ ଦୁଇ ଦିନ ବର୍ଷାର ପରିମାଣ ବଢିବା ଆକଳନ କରିଛି ପାଣିପାଗ ବିଭାଗ । ଏହି ସମୟରେ ବେଶ୍ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଫଳରେ କେତେକ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ବିଭିଷିକା ଦେଖିବାକୁ ମିଳିଛି । ଦକ୍ଷିଣରୁ ଉତର ସବୁଠି ଲଘୁଚାପ ବର୍ଷା ପ୍ରଭାବରେ ନଦୀ ଗୁଡିକ ଫୁଲିବା ଯୋଗୁଁ ତଳିଆ ଅଂଚଳରେ ପାଣି ପଶିଯାଇଛି । କେଉଁଠି ରାସ୍ତା ଉପରେ ଆଂଠୁଏ ପାଣି ଚାଲିଛ ତ ଆଉ କେଉଁଠି ଧାନ ଜମିରେ ଲହିଡି ଭାଙ୍ଗୁଛି ପାଣି । ଆଉ ତାରି ଭିତରେ ଅନେକ ଲୋକ ଜଳବନ୍ଦି ଅବସ୍ଥାରେ ଅଛନ୍ତି । ଏପଟେ ୨୩ରେ ଆଉ ଏକ ଲଘୁଚାପ ଆସୁଥିବାରୁ ସମସ୍ତଙ୍କ ଚିନ୍ତା ବଢି ଯାଇଛି ।