ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା: ୨୪ ଘଂଟାରେ ବାତ୍ୟାର ରୂପ ନେଇପାରେ ଗଭୀର ଅବପାତ

414

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ କିଛି ଘଂଟା ଭିତରେ ବାତ୍ୟାର ରୁପ ନେଇପାରେ । ହେଲେ ବାତ୍ୟାଟି ଧିରେ ଧିରେ ଉପକୂଳ ମୁହାଁ ହୋଇ ସମୁଦ୍ର ଭିତରେ ବାଂଗଲାଦେଶ ଆଡକୁ ଗତି କରିବ । ପାଣିପାଗ ବିଭାଗର ଆକଳ ବାତ୍ୟାର ସିଧା ପ୍ରଭାବ ଓଡିଶା ଉପରେ ପଡିବ ନାହିଁ । କେବଳ ଉପକୂଳ ଅଂଚଳର କିଛି ସ୍ଥାନରେ ଆସନ୍ତା ୧୮ ତାରିଖ ଯାଏଁ ବର୍ଷା ହୋଇପାରେ । ତେବେ ଅମଳ ସମୟରେ ବର୍ଷା ହେବାର ସମ୍ଭାବନା ଥିବାରୁ ଚାଷୀଙ୍କୁ ସତର୍କ ରହିବାକୁ କୁହାଯାଇଛି । ଏଥିସହ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

ବଂଗୋପସାଗରରେ ବଳ ଗୋଟାଇ ଆଗକୁ ବଢ଼ୁଥିବା ଗଭୀର ଅବପାତ କିଛି ଘଂଟା ଭିତରେ ବାତ୍ୟାର ରୂପ ନେଇପାରେ । ଆଇଏମଡିର ଆକଳନ ଅନୁସାରେ ଗଭୀର ଅବପାତ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରି ୧୮ତାରିଖ ସକାଳ ବେଳକୁ ଘନୀଭୂତ ହୋଇ ଏକ ବାତ୍ୟାର ରୂପ ନେବ । ଆଉ ଏ ହେଉଛି ବାତ୍ୟାର ଗତିପଥ । ବାତ୍ୟାଟି ଧିରେ ଧିରେ ଉପକୂଳ ମୁହାଁ ହୋଇ ସମୁଦ୍ର ଭିତରେ ବାଂଗଲାଦେଶ ଆଡକୁ ଗତି କରିବ । ଆଉ ସେହିଦିନ ହିଁ ବାଂଲାଦେଶର ମଂଗ୍ଲା ଓ ଖେପୁପୁରା ମଧ୍ୟଦେଇ ସ୍ଥଳଭାଗ ଅତିକ୍ରମ କରିବ । ଏହି ସମୟରେ ପବନର ବେଗ ଘଂଟା ପ୍ରତି ୬୦ରୁ ୭୦ କିଲୋମମିଟର ଓ ଝଟକା ପବନ ଘଂଟାପ୍ରତି ୮୦ କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି ।

ବଂଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଓଡିଶାର କିଛି ଅଂଚଳରେ ଆକାଶ ମେଘୁଆ ରହିଛି । ଉପକୂଳ ଓଡିଶାର କେତେକ ସ୍ଥାନରେ ବର୍ଷା ହୋଇଛି । ଆସନ୍ତା କାଲି ପାଇଁ ମଧ୍ୟ କେତେକ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଆଇଏମଡିର ପୂର୍ବାନୁମାନ ଅନୁସାରେ, ୧୭ତାରିଖରେ କେନ୍ଦ୍ରାପଡା, ଜଗତସିଂହପୁରର ଗୋଟିଏରୁ ଦୁଇଟି ସ୍ଥାନରେ ଭାରି ବର୍ଷାର ସମ୍ଭାବନା ରହିଛି । ୧୮ତାରିଖରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ତେବେ ବାତ୍ୟାର ବିଶେଷ କିଛି ପ୍ରଭାବ ଓଡିଶା ଉପରେ ପଡିବ ନାହିଁ ଏବଂ ୧୯ତାରିଖରୁ ପାଗରେ ପରିବର୍ତ୍ତନ ଆସି , ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ତେବେ ଅମଳ ସମୟରେ ବର୍ଷା ହେବାର ସମ୍ଭାବନା ଥିବାରୁ ଚାଷୀଙ୍କୁ ସତର୍କ ରହିବାକୁ କୁହାଯାଇଛି । ଉପକୂଳ ଓଡିଶାର ଜମିରେ ଥିବା ପାଚିଲା ଧାନ ଓ ପନିପରିବାକୁ ଅମଳ କରି ସୁରକ୍ଷିତ ସ୍ଥାନକୁ ରଖିବାକୁ ପରାମର୍ଶ ଦିଆଯାଇଛି । ଏଥିସହ ବନ୍ଦର ଗୁଡିକରେ ୧ନମ୍ବର ବିପଦ ସଂକେତ ଜାରି କରାଯାଇଛି । ମତ୍ସ୍ୟଜୀବୀମାନଙ୍କୁ କୂଳକୁ ଫେରି ଆସିବାକୁ କୁହାଯାଇଛି ।