କାଲି ଠାରୁ ୧୪ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା । ୧୯ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ଆକଳନ, ସୃଷ୍ଟି ହୋଇପାରେ ବନ୍ୟା ପରିସ୍ଥିତି ।

739

କନକ ବ୍ୟୁରୋ : ଆସନ୍ତା କାଲିଠାରୁ ୫ ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୧୧ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବାରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା କରିଛି ଭାରତୀୟ ପାଣିପାଗ ବିଭାଗ । ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ବନ୍ୟା ପରିସ୍ଥିତି, ଭୂସ୍ଖଳନ ଭଳି ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ପ୍ରସ୍ୁତ ରହିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ଜୁନ ୧୦ରୁ ଅର୍ଥାତ କାଲିଠାରୁ କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପୂର୍ବନୁମାନ କରାଯାଇଛି । ୧୦ ତାରିଖ ଦିନ ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ୟେଲୋ ୱାର୍ଣ୍ଣିଂ ଦିଆଯାଇଥିବା ଏହି ଜିଲ୍ଲାଗୁଡିକ ହେଲା – ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେଉଁଝର, ମୟୁରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ।

ତେବେ ୧୧ ତାରିଖ ଦିନ ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା କରିଛି ଆଇଏମଡି । ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଥିବା ଏହି ଜିଲ୍ଲାଗୁଡିକ ହେଲା – କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନଗୁଳ, ଢେଙ୍କାନାଳ ଓ ସମ୍ବଲପୁର । ସେହି ୧୧ ତାରିଖରେ ୧୬ଟି ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ । ବିଶେଷ କରି ଉତ୍ତର ଓ ପଶ୍ଚିମ ଓଡ଼ିଶା ସହ ଅଭ୍ୟନ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି ।

ତେବେ ୧୨ ତାରିଖରେ ବର୍ଷା ଆହୁରି ବଢ଼ିବା ଆଶଙ୍କା ରହିଛି । ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ପୂର୍ବ-ପଶ୍ଚିମ, ଉତର-ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ । ୧୯ଟି ଜିଲ୍ଲାରେ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି, ସେଠାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । କିଛି ସ୍ଥାନରେ ଅତ୍ୟଧିକ ବର୍ଷା ଆକଳନ କରାଯାଇଛି । ବାକି ୧୧ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି, ସେଠାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ସେହିପରି ୧୩ ତାରିଖରେ ମଧ୍ୟ ୧୯ଟି ଜିଲ୍ଲାରେ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି ।

୧୪ ତାରିଖରେ ମଧ୍ୟ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସବୁ ଜିଲ୍ଲାର ଜିଲ୍ଲାପାଳ, ମହାନଗର ନିଗମର କମିସନରଙ୍କୁ ଚିଠି ଲେଖି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିସନର । ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିବା ଆଶଙ୍କା ଥିବାରୁ ୨୪ ଘଂଟିଆ ସତର୍କ ରହିବାକୁ ସ୍ଥାନୀୟ ପ୍ରଶାସନକୁ କୁହାଯାଇଛି । ବିଶେଷ କରି ତଳିଆ ଅଂଚଳ ଉପରେ ନଜର ରଖିବାକୁ କୁହାଯାଇଛି ।

କ୍ଷୟକ୍ଷତି ରୋକିବା ସହ ଆବଶ୍ୟକ ସ୍ଥଳେ କଚ୍ଚା ଘରେ ରହୁଥିବା ତଳିଆ ଅଂଚଳର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳକୁ ଏଥିପାଇଁ ସଜାଗ ରଖିବାକୁ କୁହାଯାଇଛି । ଯେଉଁଠି ନଦୀବନ୍ଧ ଦୁର୍ବଳ ରହିଛି, ସେଠାରେ ସତର୍କ ଦୃଷ୍ଟି ରଖିବାକୁ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ମୁକାବିଲା ପାଇଁ ଆବଶ୍ୟକ ସରଂଜାମ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ସେହିପରି ସହରାଂଚଳରେ ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପାହାଡ଼ିଆ ଅଂଚଳରେ ଭୂସ୍ଖଳନ ଆଶଙ୍କା ରହିଛି, ସେଥିପ୍ରତି ଦୃଷ୍ଟି ରଖିବାକୁ କୁହାଯାଇଛି । ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ବୋଟ୍ ଓ ଅନ୍ୟାନ୍ୟ ସରଂଜାମ ସହ ପ୍ରସ୍ତୁତ ରହିବାକୁ ଅଗ୍ନିଶମ ବିଭାଗ ଓ ଉଦ୍ଧାରକାରୀ ଦଳକୁ କୁହାଯାଇଛି ।