ଡରାଉଛି କାଳବୈଶାଖୀ: ଆସନ୍ତା ୪ ଦିନ ଯାଏ ରାଜ୍ୟରେ ଜାରି ରହିବ ମେଘୁଆ ପାଗ; ଆଜି ଏସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା, ଘଣ୍ଟା ପ୍ରତି ୪୦ରୁ ୫୦ କିମି ରହିବ ପବନର ବେଗ

Advertisment
ବର୍ଷାରେ ବେହାଲ ସାରା ରାଜ୍ୟ । ଲଗାଣ ବର୍ଷା ପରେ ସବୁଆଡେ ଜମିଛି ପାଣି

କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ଲାଗି ରହିଛି। ଘଡ଼ଘଡ଼ି ସହ ବଜ୍ରପାତ ଓ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାରୁ ଜନଜୀବନ ପ୍ରଭାବିତ ହୋଇଛି। ଆସନ୍ତା ୪ ଦିନ ପାଇଁ ଏଭଳି ପାଗ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆକଳନ କରାଯାଇଛି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ଅଧିକ ରହିବ।

କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ଝାରସୁଗୁଡ଼ା ଜିଲ୍ଲାର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ। ସ୍ଥାନେସ୍ଥାନେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ। ଏଥିସହ ସୁନ୍ଦରଗଡ଼, କଳାହାଣ୍ଡି, ସମ୍ବଲପୁର, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ଵର, ଭଦ୍ରକ ଓ ଯାଜପୁର ଜିଲ୍ଲାର କିଛି ସ୍ଥାନରେ ଝଡ଼ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୮ ତାରିଖ ପର୍ଯ୍ୟନ୍ତ ଏମିତି ସ୍ଥିତି ଲାଗି ରହିବ। ଏହାପରେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବାକୁ ଥିଲେ ମଧ୍ୟ ମେ’ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ, ଏପ୍ରିଲ ଶେଷ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବ। ମେ’ ପ୍ରଥମ ସପ୍ତାହରେ ବି ପାଗ କୋହଲା ରହିବା ସହ ତାପମାତ୍ରା ବିଶେଷ ବୃଦ୍ଧି ପାଇବ ନାହିଁ। ଏହି ସମୟ ମଧ୍ୟରେ ବାଲେଶ୍ଵର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳ କାଳବୈଶାଖୀ ହେବ। ପ୍ରତିଦିନ କେଉଁଠି ନା କେଉଁଠି ଘଡ଼ଘଡ଼ି, ବଜ୍ରପାତ ସହ ବର୍ଷା ଲାଗି ରହିବ। କେନ୍ଦୁଝର, ମୟୂରଭଞ୍ଜ, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ ଓ ଅବିଭକ୍ତ କୋରାପୁଟ ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ମଧ୍ୟମ ଧରଣର ରହିବ। ବାକି ଜିଲ୍ଲାଗୁଡ଼ିକରେ କାଳବୈଶାଖୀର ପ୍ରଭାବ ବିଶେଷ ଅଧିକ ରହିବ ନାହିଁ। ମେ’ ପ୍ରଥମ ସପ୍ତାହରେ ବି ସମାନ ଧରଣର ପ୍ରଭାବ ଦେଖିବାକୁ ମିଳିବ। ତାପମାତ୍ରା ବଢ଼ିବ ନାହିଁ। ସ୍ୱାଭାବିକଠାରୁ ୩ଡିଗ୍ରି କମ୍ ରହିବ। ଏହି ସମୟରେ ମାଲକାନଗିରିଠାରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶା ଦେଇ ଅନୁଗୁଳ, ସୁନ୍ଦରଗଡ଼ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରି ଉପରେ ରହିବା କଥା। ଭୁବନେଶ୍ୱର ଓ କଟକରେ ବି ସମାନ ସ୍ଥିତି ରହିଥାଏ। କିନ୍ତୁ ଏଥରକ ଏ ପର୍ଯ୍ୟନ୍ତ  ତାପମାତ୍ରା ବିଶେଷ ବୃଦ୍ଧି ପାଇନାହିଁ। ବର୍ତ୍ତମାନ ସମୟରେ ଆନ୍ଧ୍ରପ୍ରଦେଶ ଆଡୁ ଓଡ଼ିଶା ଦେଇ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାରକୁ ପବନ ବହୁଛି।

ସମ୍ଭାବ୍ୟ ଲଘୁଚାପ ସୃଷ୍ଟି ହେବା ନେଇ ପ୍ରଫେସର୍ ପଶୁପାଳକ କହିଛନ୍ତି ଯେ ଆସନ୍ତା ୨୭ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୨୮ତାରିଖରେ ଏହା ଲଘୁଚାପ କ୍ଷେତ୍ର ଓ ୨୯ରେ ୱେଲ ମାର୍କ ଲୋ ପ୍ରେସର୍ରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପ୍ରଥମେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବ। ପରେ ଉତ୍ତର, ଉତ୍ତର-ପୂର୍ବ ଦିଗରେ ଗତି କରିବ। ଗତିପଥରେ ଏହା ଅଣ୍ଡାମାନର ପଶ୍ଚିମ ଦେଇ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିବା ସହ ୬ ତାରିଖ ବେଳକୁ ମିଆଁମାର ଛୁଇଁବା ସମ୍ଭାବନା ରହିଛି। ତେବେ ଏହା ସମୁଦ୍ରରେ କେତେଦିନ ରହିବ, କେତେ ଘନୀଭୂତ ହେବ, ନିର୍ଦ୍ଦିଷ୍ଟ ଭାବେ କେଉଁଠି ପହଞ୍ଚିବ, ତାହା ଏବେ କହି ହେବ ନାହିଁ। ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ ସେମିତି ପଡ଼ିବ ନାହିଁ। ପାଗ ମେଘୁଆ ରହିଲା ସହ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe