ଡିପ୍ ଡିପ୍ରେସନର ରୂପ ନେଲା ଦକ୍ଷିଣପୂର୍ବ ବଙ୍ଗୋପସାଗର ସୃଷ୍ଟ ଲଘୁଚାପ: ପ୍ରଭାବରେ ଓଡ଼ିଶାର ୬ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

୧୨ ଘଣ୍ଟା ମଧ୍ୟରେ ଏହା ବାତ୍ୟାରେ ପରିଣତ ହେବ

745

କନକ ବ୍ୟୁରୋ: ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଥିବା ଅବପାତ ଗଭୀର ଅବପାତରେ ପରିଣତ ହୋଇଛି। ଏହା ଚେନ୍ନାଇଠାରୁ ୭୩୦ କିଲୋମିଟର ଦୂରରେ ରହିଥିବା ବେଳେ ମଛଲିପଟ୍ଟନମଠାରୁ ୯୩୦ କି.ମି. ଦୂରରେ ରହିଛି। ଏହା ପୂର୍ବ ଓ ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ବାତ୍ୟାରେ ପରିଣତ ହେବ। ଆନ୍ଧ୍ରପ୍ରଦେଶର ଓଙ୍ଗୋଲ ଓ କାକ୍କିନଡା ମଧ୍ୟରେ ୧୭ ତାରିଖ ଅପରାହ୍ଣରେ ସ୍ଥଳଭାଗକୁ ସ୍ପର୍ଶ କରିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ୧୫ରୁ ୧୭ ତାରିଖ ପର‌୍ୟ୍ୟନ୍ତ ବଙ୍ଗୋପସାଗର ଉପକୂଳ ଅଶାନ୍ତ ରହିବ। ତେଣୁ ମତ୍ସଜୀବୀମାନେ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

ତେବେ ଏହାର ପ୍ରଭାବରେ ଆସନ୍ତା ୧୬ ଏବଂ ୧୭ ତାରିଖରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ। ଆସନ୍ତାକାଲିଠାରୁ ସାରା ରାଜ୍ୟରେ ବର୍ଷା ହେବା ସହ କୋହଲା ପାଗ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବିଶେଷ କରି ୬ଟି ଜିଲ୍ଲା ତଥା ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ସେହିପରି ୧୬ରୁ ୧୮ ତାରିଖ ମଧ୍ୟରେ ଅଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ହାଲ୍କା ବର୍ଷା ହୋଇପାରେ।

ପାଣିପାଗ ବିଭାଗର ସତର୍କ ସୂଚନା ପରେ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ଏସ୍ଆରସିଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳକୁ କୁହାଯାଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ୬ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ (ପ୍ରବଳ ବର୍ଷା) ଜାରି ହୋଇଛି। ୧୭ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ୧୬ରୁ ୧୮ ତାରିଖ ମଧ୍ୟରେ ଅଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ହାଲ୍କା ବର୍ଷା ହୋଇପାରେ।

ଶନିବାରଠାରୁ ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗର ଅଶାନ୍ତ ରହିବ। ତେଣୁ ମତ୍ସଜୀବୀମାନେ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ସେହିପରି ସମ୍ଭାବ୍ୟ ବର୍ଷା ଦ୍ବାରା ଧାନ ଫସଲ ନଷ୍ଟ ହେବାର ଆଶଙ୍କା ରହିଥିବାରୁ ଚାଷୀକୁଳ ଚିନ୍ତାରେ ପଡ଼ିଯାଇଛି। ଏଣେ କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ସତର୍କ କରାଯିବା ସହ କଟା ଯାଇ ନ ଥିବା ଧାନକୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଆଣିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଜମିରେ ଶୁଖାଯାଇଥିବା ଧାନ ବିଡ଼ାକୁ ସୁରକ୍ଷିତ ସ୍ଥାନକୁ ନେବା, ଶୁଖି ଯାଇଥିବା ଧାନକୁ ଅମଳ କରିବା, ଖଳା ଓ ମଣ୍ଡିରେ ପଡ଼ି ରହିଥିବା ଧାନକୁ ପାଲ ଘୋଡ଼ାଇ ରଖିବାକୁ କୁହାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.