ଲଗାଣ ବର୍ଷାରେ ବେହାଲ ପିପିଲି ଏନଏସି । କାଲିଠୁ ଘରେ ଚୁଲି ଜଳିନି, ଭୋକ ଉପାସରେ କୁନି କୁନି ପିଲା

94

କନକ ବ୍ୟୁରୋ : ଲଗାଣ ବର୍ଷାରେ ବେହାଲ ହୋଇଛି ପିପିଲି ଏନଏସି । ଦୁଇ ଦିନ ହେବ ସ୍ଥାନୀୟ ଲୋକେ ଜଳବନ୍ଦୀ ଭିତରେ ରହିଛନ୍ତି । ଘର ଭିତରେ ହାଣ୍ଡି, ବାଲଟି ଏବଂ ଆସବା ପତ୍ର ଭାସୁଛି । ପାଣି ଜମି ରହିଥିବାରୁ ଲୋକେ ରୋଷେଇ ବି କରିପାରୁ ନାହାନ୍ତି । ତେଣୁ ଦୁଇ ଦିନ ହେବ ଏଠିକାର ଲୋକେ ଶୁଖିଲା ଖାଦ୍ୟ ଖାଇ ରହୁଛନ୍ତି । ପିପିଲି ଏନଏସିରେ ଡ୍ରେନେଜ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ହେଲେ ଲଗାଣ ବର୍ଷା ପାଇଁ ସ୍ଥିତି ବେହାଲ ହୋଇଯାଇଛି । ନିର୍ବାଚନରେ ଲୋକେ ଭୋଟ୍ ମାଗିବାକୁ ଆସୁଛନ୍ତି । ଭୋଟ୍ ସରିଲେ କଥା ସରିଲା । ଅସୁବିଧା ବେଳେ କାହାର ଦେଖା ମିଳୁନି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅଭିଯୋଗରେ ରହିଯାଉଛି ।

ସେପଟେ, ପୁରୀ ଜିଲ୍ଲାରେ ୨୪ ଘଂଟାରେ ସର୍ବାଧିକ ୩୪୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । ୮୭ ବର୍ଷ ପରେ ସେପ୍ଟେମ୍ବର ମାସରେ ୨୪ ଘଂଟା ମଧ୍ୟରେ ପୁରୀରେ ରେକର୍ଡ ବର୍ଷା ହୋଇଛି । ୧୯୩୪ ସେପ୍ଟେମ୍ବର ୨୦ ତାରିଖରେ ୨୧୦.୮ ମିଲିମିଟର ବର୍ଷା ହୋଇଥିଲା । ଏହା ପରେ ଗତ ୨୪ ଘଂଟା ମଧ୍ୟରେ ରେକର୍ଡ ବର୍ଷା ହୋଇଛି । ଜିଲ୍ଲାର ଅସ୍ତରଙ୍ଗରେ ସର୍ବାଧିକ ୫୩୦ ମିମି ବର୍ଷା ହୋଇଛି । ସେହିପରି କାକଟପୁରରେ ୫୨୦ ମିମି, ଗୋପରେ ୩୩୧ ମିମି ବର୍ଷା ରେକର୍ଡ କରାଯାଇଛି । ସତ୍ୟବାଦୀରେ ୩୨୮ ମିମି, ନିମାପଡ଼ାରେ ୩୦୨ ମିମି, ପିପିଲିରେ ୨୬୩ ମିମି ବର୍ଷା ରେକର୍ଡ ହୋଇଛି । ୨୪ ଘଂଟା ମଧ୍ୟରେ ବ୍ରହ୍ମଗିରିରେ ୨୪୦ ମିମି, ଡେଲାଙ୍ଗରେ ୨୨୮ ମିମି, କଣାସରେ ୨୧୨ ମିମି ଓ କୃଷ୍ଣପ୍ରସାଦରେ ୧୭୯.୪ ମିମି ବର୍ଷା ହୋଇଛି ।