ପ୍ରବଳ ବର୍ଷା ପାଇଁ ଆଜି ସ୍କୁଲ ଛୁଟି ଘୋଷଣା : ଜାଣନ୍ତୁ କେଉଁ କେଉଁ ଜିଲ୍ଲାରେ ସ୍କୁଲ ଛୁଟି ?

3,956

କନକ ବ୍ୟୁରୋ :ପ୍ରବଳ ବର୍ଷା ଯୋଗୁ ଆଜି ୧୨ ଜିଲ୍ଲାରେ ସ୍କୁଲ ବନ୍ଦ । ରେଡ୍ ୱାର୍ଣ୍ଣିଂ ଥିବା ୧୨ ଜିଲ୍ଲାରେ ଗୋଟିଏ ଦିନ ପାଇଁ ସ୍କୁଲ ବନ୍ଦ ଘୋଷଣା କରାଯାଇଥିବା ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ଗତକାଲି ୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଆଜି ୫ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସବୁ ଜିଲ୍ଲାରେ ସ୍କୁଲ ଛୁଟି ରହିବ । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ନୟାଗଡ଼ ଜିଲ୍ଲାର ସ୍କୁଲ ବନ୍ଦ ରହିବ । ଏହା ସହ ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ସୋନପୁର ଓ ବରଗଡ଼ ଜିଲ୍ଲାରେ ମଧ୍ୟ ଆଜି ସ୍କୁଲ ଛୁଟି ଘୋଷଣା କରାଯାଇଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ୧୨ ତାରିଖ ସକାଳ ୮ଟା ୩୦ରୁ ୧୩ ତାରିଖ ୮ଟା ୩୦ ମଧ୍ୟରେ ପୁରୀରେ ସର୍ବାଧିକ ୩୪୧ ମିଲିମିଟର୍‌ , ପାରାଦୀପରେ ୨୧୯ ମିଲିମିଟର୍‌, ଭୁବନେଶ୍ୱରରେ ୧୯୫ ମିଲିମିଟର୍‌, ବାଲେଶ୍ବରରେ ୨୪, ଚାନ୍ଦବାଲିରେ ୪୬ ଓ ଗୋପାଳପୁରରେ ୬୪ ମିଲିମିଟର୍‌ ବର୍ଷା ରେକର୍ଡ କରାଯାଇଛି । କଟକ ଓ ଭୁବନେଶ୍ୱର ସହରବାସୀଙ୍କୁ ଆସନ୍ତା ୬ ଘଣ୍ଟା ପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏଠାରେ ଘଣ୍ଟାକୁ ୨ରୁ ୩ ସେମି ପର୍ଯ୍ୟନ୍ତ ବର୍ଷା ହେବା ନେଇ ଆକଳନ କରାଯାଇଥିବାର ସୂଚନା ମିଳିଛି । ଟ୍ବିନ୍ ସିଟିର ତଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ । ଏଣୁ ଜଳ ନିଷ୍କାସନ ଲାଗି  ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏପରିକି ଘରୁ ବାହାରକୁ ନ ଯିବା ଲାଗି ବି ପାଣିପାଗ କେନ୍ଦ୍ର ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।