ଆଜି ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ଆଶଙ୍କା : ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

1,265

କନକ ବ୍ୟୁରୋ : ବଙ୍ଗୋପସାଗରରେ ୨୯ ତାରିଖ ଓ ଅକ୍ଟୋବର ୯ ତାରିଖରେ ଦୁଇଟି ଲଘୁଚାପ ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରାଯାଉଛି । ଏହାର ପ୍ରଭାବରେ ଆସନ୍ତା ୨ ସପ୍ତାହ ରାଜ୍ୟରେ ବର୍ଷା ଜାରି ରହିବ। ଏହା ବ୍ୟତୀତ ମୌସୁମୀ ବର୍ଷା ମଧ୍ୟ ଜାରି ରହିବ ।

ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ପାଣିପାଗ ଅନୁକୂଳ ଥିବାରୁ ବଙ୍ଗୋପସାଗରରେ ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ଏକାଧିକ ସିଷ୍ଟମ ସୃଷ୍ଟି ହେବାର ସମ୍ଭାବନା ରହିଛି । ଉପକୂଳରେ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଅକ୍ଟୋବର ୧ରୁ ୫ତାରିଖ ପର୍ଯ୍ୟନ୍ତ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ । ଉତ୍ତର ଉପକୂଳରେ ଅକ୍ଟୋବର ୧ରୁ ୩ ତାରିଖ ପର୍ଯ୍ୟନ୍ତ ମଧ୍ୟମ ବର୍ଷା ଓ ସ୍ଥାନେସ୍ଥାନେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିପରି ଅକ୍ଟୋବର ୩ ତାରିଖରେ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହେବାକୁ ଯାଉଥିବା ଏକ ସିଷ୍ଟମ୍‌ ୫ ତାରିଖରେ ଫିଲିପାଇନ୍‌ସ୍‌ ଓ ୬ ତାରିଖରେ ଦକ୍ଷିଣ ଚୀନ୍‌ ସାଗର ଦେଇ ୭ ତାରିଖରେ ମିଆଁମାର୍‌ ଉପକୂଳ ଓ ୮ ତାରିଖରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚି ୯ ତାରିଖରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ମଧ୍ୟ ରାଜ୍ୟରେ ଭଲ ବର୍ଷା ହୋଇପାରେ ।

ଅନ୍ୟପକ୍ଷରେ ରାଜ୍ୟରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆଜି କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବାରୁ ‌ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୨୯ ତାରିଖରେ ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଭଦ୍ରକରେ ପ୍ରବଳ ବର୍ଷା ହେବ । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼ ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଏସବୁ ଜିଲ୍ଲାଗୁଡ଼ିକରେ ମଧ୍ୟ ‌ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।