କେରଳରେ ବର୍ଷା ବିତ୍ପାତ । ଜଳମୟ ହେଲା ୩ ସହର

237

କନକ ବ୍ୟୁରୋ : କେରଳରେ ବର୍ଷା ବିତ୍ପାତ । କେରଳରେ ଲାଗି ରହିଥିବା ବର୍ଷା ଫଳରେ ଏକାଧିକ ଜିଲ୍ଲା ଜଳମଗ୍ନ ହୋଇଛି । ସହର ଭିତରେ ନଦୀର ଭ୍ରମ ସୃଷ୍ଟି ହେଉଛି । ବିଶେଷ କରି ଇଡ୍ଡୁକୀ, କୋଟୟାମ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ରାସ୍ତା ଉପରେ କାର, ବାଇକ୍ ଭାସିଯିବା ସହ ବସର ଅଧା ପର୍ଯ୍ୟନ୍ତ ବୁଡି ଯାଇଛି । କୋଟୟାମର ରାସ୍ତାରେ ଯାଉଥିବା ଏକ ବସ୍ ଅଧା ପର୍ଯ୍ୟନ୍ତ ବୁଡିଯାଇଥିଲା ।
ପାଣି ଭିତରେ ଗାଡିଟି ଫସିଯିବା ପରେ ଆଉ ଆଗକୁ ଯାଇ ପାରି ନଥିଲା । ତାପରେ ଗାଡିରେ ଥିବା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ଉଦ୍ଧାରକାରୀ ଟିମ୍ । ବର୍ଷା ବିତ୍ପାତରେ ଏପର୍ଯ୍ୟନ୍ତ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ପରିସ୍ଥିତି ବିଗୁଡୁଥିବାରୁ ଉଦ୍ଧାର କାର୍ଯ୍ୟରେ ୧୧ ଏନଡିଆରଏଫ ଟିମ୍ , ଏୟାରଫୋର୍ସ ହେଲିକପ୍ଟର ଓ ନୌସେନା ବାହିନୀଙ୍କୁ ନିୟୋଜିତ କରାଯାଇଛି । ଅନ୍ୟପଟେ ଆଜି ପାଇଁ ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିବା ପରେ କେରଳ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନ ।