ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା । ରାସ୍ତାରେ ବହିଲା ବନ୍ୟାପାଣି । ଭାସିଗଲା ଦୋକାନ ଘର ସହ ଏକାଧିକ କାର୍ ।

170

କନକ ବ୍ୟୁରୋ: ଗୋଟିଏ ପଟେ କରୋନା ମହାମାରୀକୁ ନେଇ ଦେଶରେ ଲଢେଇ ଚାଲିଥିବାବେଳେ, ଏବେ ପ୍ରାକୃତିକ ବିପର୍ଯ୍ୟୟ ସାଧାରଣ ଧନ,ଜୀବନ ପ୍ରଭାବିତ କରିଛି । ହିମାଚଳରେ ବର୍ଷାର କରାଳ ରୂପ ଦେଖିବାକୁ ମିଳିଛି । ବାଦଲ ଫଟା ବର୍ଷାରେ ଧର୍ମଶାଳାରେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବର୍ଷା ପାଣିରେ ଗାଡି ମୋଟର ଭାସି ଯାଉଥିବା ବି ଦେଖିବାକୁ ମିଳିଛି ।

ଧର୍ମଶାଳାରେ ବାଦଲ ଫଟା ବର୍ଷାରେ ବେହାଲ ହୋଇଛି ସହର । ଦେଖୁ ଦେଖୁ ସାମାନ୍ୟ ନାଳଟି ନେଇଛି ନଦୀର ରୂପ । ରାସ୍ତାରେ ବର୍ଷା ପାଣି ଏପରି ବହୁଛି ଯେପରି ନଦୀରେ ବଢି ଆସିଛି । ସୋମବାର ସକାଳୁ ହିମାଚଳ ପ୍ରଦେଶର ଅନେକ ସ୍ଥାନରେ ବାଦଲ ଫଟା ବର୍ଷାର କରାଳ ରୂପ ଦେଖିବାକୁ ମିଳିଛି । ବର୍ଷା ପାଣିରେ କାର ବି ଭାସି ଯାଉଥିବା ଖବର ଆସିଛି । ସେହିପରି ବାସୁ ନଗର ଅଞ୍ଚଳରେ ରାସ୍ତାରେ ବର୍ଷା ପାଣି ଏଭଳି ଚାଲୁଛି ଯେ, ଲୋକଙ୍କ ଯାତାୟତ ପ୍ରଭାବିତ ହୋଇଛି । ବର୍ଷାର କରାଳ ରୂପ ପାଇଁ ରାଜ୍ୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଯେ, କେନ୍ଦ୍ରରୁ ତୁରନ୍ତ ଏନଡିଆରଏଫର ଏକ ଦଳକୁ ହିମାଚଳ ପ୍ରଦେଶ ପଠାଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

କାଙ୍ଗରା ଜିଲ୍ଲାରେ ପ୍ରବଳ ବର୍ଷାରେ ନଦୀରେ ବନ୍ୟା ଆସିବା ଫଳରେ ୨ ଜଣ ନିଖୋଜ ହୋଇଛନ୍ତି । ସେପଟେ ଧର୍ମଶାଳାରେ ମାଞ୍ଝି ନଦୀରେ ବନ୍ୟା ଆସିବା ଫଳରେ ଅନେକ ଘର, ଦୋକାନ ବନ୍ୟା ପାଣିରେ ଭାସି ଯାଇଛି । ରାଜ୍ୟର ଅନେକ ସ୍ଥାନରେ ଲଗାଣ ବର୍ଷାରେ ଧନ, ଜୀବନ ପ୍ରଭାବିତ ହୋଇଛି । ଏନଡିଆରଏଫର ଏକ ଦଳ ପହଁଚି ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ମୂଷଳ ଧାରାର ବର୍ଷାରେ ଅନେକ ଗାଡି, ମଟର ମାଟିରେ ପୋତି ହୋଇ ଯାଇଛି । ଯାହାକୁ ଏନଡିଆରଏଫ ଟିମ୍ ଖୋଳିକି ବାହାର କରୁଛି ।

ବର୍ଷା ପାଇଁ ସିମଲାରେ ଜାତୀୟ ରାଜପଥ ଅବରୋଧ ହୋଇଛି । ପାହାଡରୁ ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇଛି । ସେପଟେ ଜମ୍ମୁ- କାଶ୍ମୀରର ଏକାଧିକ ସ୍ଥାନରେ ବାଦଲଫଠା ବର୍ଷାରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ମୁଶଳ ଧାରାର ବର୍ଷାରେ ଅନେକ ଘର ନଷ୍ଟ ହୋଇଛି । ପ୍ରଶାସନ ତରଫରୁ ଉଦ୍ଧାର କାର୍ଯ୍ୟ କରାଯାଉଛି ।