ବର୍ଷାରେ ବେହାଲ ରାଜଧାନୀ : ପୁରୁଣା ଭୁବନେଶ୍ୱରରେ ପାଣିରେ ଫସିଲା ଆମ୍ବୁଲାନ୍ସ

ରେଳ ଷ୍ଟେସନରେ ଲହଡ଼ି ମାରୁଛି ଆଣ୍ଠୁଏ ଉଚ୍ଚର ପାଣି; ଘରେ ବର୍ଷା ଜଳ ପଶିବାରୁ ଲୋକେ ହନ୍ତସନ୍ତ

171

କନକ ବ୍ୟୁରୋ : ଭୁବନେଶ୍ୱରରେ ମଧ୍ୟ ରେକର୍ଡ ବର୍ଷା ହୋଇଛି । ଗତକାଲି ସକାଳ ୮ଟା୩୦ରୁ ଆଜି ସକାଳ ମଧ୍ୟରେ ରାଜଧାନୀରେ ୧୯୫ ମିଲିମିଟର ବର୍ଷା ହୋଇଛି । ୧୯୫୮ ସେପ୍ଟେମ୍ବର ୯ରେ ୨୪ ଘଂଟାରେ ଭୁବନେଶ୍ୱରରେ ୧୬୩ ମିଲିମିଟର ବର୍ଷା ରେକର୍ଡ଼ ହୋଇଥିଲା । ୬୩ ବର୍ଷ ପରେ ସର୍ବକାଳୀନ ରେକର୍ଡ଼ ବର୍ଷା ହୋଇଛି । ୧ ସେପ୍ଟେମ୍ବର ୨୦୧୪ରେ ୨୪ ଘଂଟାରେ ୧୧୬ ମିଲିମିଟର ବର୍ଷା ରେକର୍ଡ଼ ହୋଇଥିଲା । ୨୫ ସେପ୍ଟେମ୍ବର ୨୦୧୯ରେ ୨୪ ଘଂଟାରେ ୧୨୬ ମିଲିମିଟର ବର୍ଷା ରେକର୍ଡ଼ ହୋଇଥିଲା । ପୁରୀ, ଭୁବନେଶ୍ୱର ବ୍ୟତୀତ ପାରାଦୀପରେ ୨୪ ଘଂଟାରେ ୨୧୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ବର୍ଷା ଯୋଗୁୁଁ ଭୁବନେଶ୍ୱର ରେଳ ଷ୍ଟେସନରେ ଜମି ରହିଛି ଆଣ୍ଠୁଏ ଉଚ୍ଚର ପାଣି । ଲୋକେ ପାଣି ଭିତରେ ପଶି ଯାତାୟତ କରୁଥିବାର ଦେଖିବାକୁ ମିଳିଛି । ଟ୍ରେନ୍ ଟ୍ରାକ୍ ଉପରେ ଚାଲୁଛି ଆଣ୍ଠୁଏ ଉଚ୍ଚର ପାଣି । ଲୋକେ ଯାତାୟତ ପାଇଁ ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାତିଯାତ ଲଗାଣ ବର୍ଷା ଲାଗି ରହିବା ଯୋଗୁଁ ଷ୍ଟେସନରେ ଏପରି ଅବସ୍ଥା ଦେଖାଦେଇଛି ।

ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ଫସିଲା ଆମ୍ବୁଲାନ୍ସ । ଏଭଳି ଚିତ୍ର ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି । ରାସ୍ତାରେ ବର୍ଷା ପାଣି ଜମି ରହିବା ଯୋଗୁଁ ଆମ୍ବୁଲାନ୍ସ ଫସି ରହିଥିଲା । ଏପରିକି ଲୋକେ ରାସ୍ତା ଉପରେ ଆମ୍ବୁଲାନ୍ସକୁ ପେଲି ପେଲି ନେବାକୁ ପଡ଼ିଥିଲା । ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି ।