ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ : ୨୪ ଘଂଟା ମଧ୍ୟରେ ଆହୁରି ହେବ ଘନୀଭୂତ; ୧୪ ଯାଏଁ ପ୍ରବଳ ପ୍ରବଳ ବର୍ଷା ଚେତାବନୀ

436

କନକ ବ୍ୟୁରୋ : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ହୋଇଛି । ୨୪ ଘଂଟା ମଧ୍ୟରେ ଆହୁରି ଘନୀଭୂତ ହେବ । ୧୪ ଯାଏଁ ପ୍ରବଳ ପ୍ରବଳ ବର୍ଷା ଚେତାବନୀ ଦେଇଛି ପାଣିପାଗ ବିଭାଗ । ଆଜି କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗୀର, ନୟାଗଡ଼, ସୋନପୁର, ଖୋର୍ଧା, ପୁରୀ ଓ ଜଗତସିଂହପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ୯ ଜିଲ୍ଲା ପାଇଁ କେନ୍ଦ୍ର ରେଡ୍‌ ୱାର୍ଣ୍ଣିଂ ଜାରି କରିଛି। ଏହାବ୍ୟତୀତ ଆସନ୍ତାକାଲି ଗଞ୍ଜାମ, କଟକ, ଅନୁଗୁଳ, ସମ୍ବଲପୁର, ବରଗଡ଼, ନବରଙ୍ଗପୁର, ନୂଆପଡ଼ା, ମାଲକାନଗିରି, କୋରାପୁଟ ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିଭଳି ୧୨ ତାରିଖ ଦିନ ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବରଗଡ଼, କଳାହାଣ୍ଡି, ବୌଦ୍ଧ, ସମ୍ବଲପୁର, ଅନୁଗୁଳ ଓ ନବରଙ୍ଗପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ‌ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଖୋର୍ଧା, ପୁରୀ, ଗଜପତି ଓ ଗଞ୍ଜାମ ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ୧୩ ଓ ୧୪ ତାରିଖ ଦିନ ମଧ୍ୟ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷାକୁ ନେଇ ୱାର୍ଣ୍ଣିଂ ଜାରି ହୋଇଛି।

ସମ୍ଭାବ୍ୟ ପ୍ରବଳ ବର୍ଷା ଯୋଗୁଁ କିଛି କିଛି ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିବା ସହ କଚ୍ଚା ଓ ମାଟି ଘର ଭାଙ୍ଗିଯିବା, ଭୂସ୍ଖଳନ, ଫସଲ ଓ ପନିପରିବା ଚାଷ ଆଦି ବିପର୍ଯ୍ୟସ୍ତ ହେବାର ଆଶଙ୍କା ରହିଛି। ଏଣୁ ଆବଶ୍ୟକ ପ୍ରସ୍ତୁତି ସାରିବାକୁ ଏସ୍‌ଆର୍‌ସି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏହି ସମୟରେ ପବନର ବେ‌ଗ ୪୦ରୁ ୫୦କିମି ରହିବ ଓ ମଝିରେ ମଝିରେ ୬୦ କିମିର ପବନର ଝଟ୍‌କା ଅନୁଭୂତ ହେବ। ଏଣୁ ମତ୍ସଜୀବୀମାନଙ୍କୁ ଗଭୀର ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।