କନକ ବ୍ୟୁରୋ : ଲଘୁଚାପ ଜନିତ ଲଗାଣ ବର୍ଷାରେ ଭୁଷୁଡିଲା ଘର। ଘର ଛାତ ତଳେ ଚାପି ହୋଇ ଗୁରୁତ ମା ଓ ଦୁଇ ଝିଅ। ଗତ ତିନିଦିନ ଧରି ବର୍ଷା ଲାଗି ରହିଥିବାରୁ କୋରାପୁଟ ଜିଲ୍ଲା ବୈପାରିଗୁଡାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କେଉଁଠି ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି ତ କେଉଁଠି ଘର ଭାଙ୍ଗିବା ଭଳି ପରିସ୍ଥିତି ଉପୁଜିଛି। ଆଜି ସକାଳ ପ୍ରାୟ ୮ଟା ବେଳେ ଅଟାଳଗୁଡା ଗାଁର ଡାଲି ପ୍ରଧାନୀ ଏବଂ ଦୁଇ ଝିଅ ନୟନା ଓ ଦୀପା ଘରେ ରୋଷେଇ କରୁଥିବା ବେଳେ ତାଙ୍କ ଉପରେ ରୋଷେଇ ଘରର ଛାତ ପଡିଯାଇଥିଲା। ତିନି ଜଣ ତା’ତଳେ ଚାପି ହୋଇଯାଇଥିଲା। ସ୍ଥାନୀୟ ଲୋକେ ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ବୈପାରିଗୁଡା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ଜୟପୁର ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର କରାଯାଇଛି।

Advertisment

ସେହିପରି ଲଗାଣ ବର୍ଷାରେ ଭୁସୁଡ଼ିଲା ଘର କାନ୍ଥ। ଅଳ୍ପକେ ବର୍ତ୍ତିଗଲେ ୪ ପ୍ରାଣୀ ପରିବାର।ରାତିରେ ସମସ୍ତେ ଘରେ ଶୋଇଥିବା ବେଳେ ଏଭଳି ଅଘଟଣ ଘଟିଛି। କୋରାପୁଟ ଜିଲ୍ଲା ନାରାୟଣପାଟଣା ଅନ୍ତର୍ଗତ ଗାରିଆଘାଟ ସାହିର ସରୋଜିନୀ ଲୁହାଙ୍କ ଘରର କାନ୍ଥ ଭାଙ୍ଗି ଯାଇଛି। ଏବେ ବି ଝିପିଝିପି ବର୍ଷା ଲାଗି ରହିଥିବା ବେଳେ ଭଙ୍ଗା କୁଡ଼ିଆ ଘରେ ରହିଛନ୍ତି ପୁରା ପରିବାର।

ଅନ୍ୟପଟେ ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଖଇରପୁଟ, ଚିତ୍ରକୋଣ୍ଡା, କୋରୁକୋଣ୍ଡା, ଏବଂ କାଲିମେଳା ବର୍ଷା ହୋଇଛି। ଫଳରେ ଜାତୀୟ ରାଜପଥ ଉପରେ ବର୍ଷାଜଳ ପ୍ରବାହିତ ହେଉଛି । ପୋଟେରୁ ପୋଲ ଉପରେ ୫ ଫୁଟ ଉଚ୍ଚର ପାଣି ବହୁଥିବା ବେଳେ ନଈ କୁଳିଆ ଗାଁରେ ପାଣି ପଶିଯାଇଛି। ପୋଟେରୁ, କାଙ୍ଗରୁକୋଣ୍ଡା, ଏମଭି ୯୦, ଏମଭି ୯୬, କନ୍ୟାଆଶ୍ରମ ପରି ବିଭିନ୍ନ ସ୍ଥାନରେ ରାଜପଥ ଉପରେ ଜଳ ପ୍ରଭାବିତ ହେବାରୁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ମାଲକାନଗିରି ଜିଲ୍ଲା ।

ବସ୍ତିରେ ପଶିଲା ପାଣି। ରାଜରାସ୍ତାରେ ବସ୍ତି ବାସିନ୍ଦା । ମାଲକାନଗିରି ପୌରପରିଷଦ ହାଟପଦା ସାହିର ଘର ଭିତରେ ବର୍ଷା ପାଣି । ଦୁର୍ଦ୍ଦଶା ଭୋଗୁଛନ୍ତି ୨୩ ପରିବାର। ପୋଖରୀ ପୁନଃରୁଦ୍ଧାର ଯୋଜନାରେ ନିକଟବର୍ତୀ ବାଲିସାଗର ଖନନ କରାଯାଇ ଥିବାରୁ ବସ୍ତିକୁ ମାଡି ଆସୁଛି ବର୍ଷା ଓ ନାଳ ନର୍ଦ୍ଦମା ପାଣି।

ପୂର୍ବରୁ ଏହି ଆଶଙ୍କା କରିଥିଲେ ଅଂଚଳବାସୀ । ଏହାର ସମାଧାନ ପାଇଁ ଦାବି କରିଥିଲେ। ହେଲେ ପ୍ରଶାସନ ସମାଧାନ ନକରିବାରୁ ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ବସ୍ତିବାସିନ୍ଦା ।

ଗ୍ରାମାଂଚଳରେ ମଧ୍ୟ ଅନେକ ଛୋଟ ବଡ ପୋଲ ଓ ଆପ୍ରୋଚ ରୋଡ ଧୋଇ ଯିବାରୁ ଜନଜୀବନ ପ୍ରଭାବିତ ହୋଇଛି। ସଂପୂର୍ଣ୍ଣ ବର୍ଷା ଛାଡିଲେ, କ୍ଷୟକ୍ଷତିର ଆକଳନ କରାଯାଇ ସହାୟତା ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।