କନକ ବ୍ୟୁରୋ : ପ୍ରବଳ ବର୍ଷାରେ ବେହାଲ ମାୟାନଗରୀ ମୁମ୍ୱାଇ । ଲଗାଣ ବର୍ଷା ଜାରି ରହିଥିବା ବେଳେ ବହୁ ଅଞ୍ଚଳ ଜଳମଗ୍ନ ହୋଇଛି । ରାସ୍ତାରେ ବନ୍ୟା ପାଣି ପ୍ରବାହିତ ହେଉଥିବା ବେଳେ ଜଳବନ୍ଦି ଜୀବନ ବିତାଉଛନ୍ତି ଲୋକେ । ବିଶେଷ କରି ଗଡଚିରୋଲି, ପୁଣେ, ଥାନେ, ବିଡ୍ ଅଂଚଳ ପ୍ରଭାବିତ ହୋଇଛି । ରାସ୍ତା ଉପରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । କିଛି ତଳିଆ ଅଂଚଳ ରାସ୍ତା ପାଣିରେ ବୁଡି ଯିବା ପରେ ଗାଡି ମୋଟର ଫସି ରହିଛି । ପୁଣେ, ନୋଲାବାଲା ଅଂଚଳରେ ରେକର୍ଡ ପରିମାଣରେ ବର୍ଷା ହୋଇଛି । ବନ୍ୟା ସ୍ଥିତି ପାଇଁ ପାଲଘର ଜିଲ୍ଲାରେ ସ୍କୁଲ-କଲେଜ ଛୁଟି ଘୋଷଣା କରାଯାଇଛି । ଏହାଛଡ଼ା ଆଗାମୀ ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ନେଇ ଆକଳନ କରିଛି ପାଣିପାଗ ବିଭାଗ । ସେପଟେ ଲଗାଣ ବର୍ଷା ଯୋଗୁଁ ସହର ମଧ୍ୟରେ ଟ୍ରାଫିକ୍ ସମସ୍ୟା ଉପୁଜିଛି । ଶହ ଶହ ଗାଡି ମୋଟର ରାସ୍ତା ଉପରେ ଅଟକି ରହିଥିଲା । ଯାହା ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଅତି କମରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର ପାଇଁ ପାଇଁ ଅଗ୍ନିଶମ ବାହିନୀ,ଏନଡିଆରଏଫ୍ ରେସକ୍ୟୁ ଅପରେସନ୍ ଚଳାଇଛନ୍ତି।