ରାଜ୍ୟରେ ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା । ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

294

କନକ ବ୍ୟୁରୋ : ଉତ୍ତର-ପଶ୍ଚିମ ଝାଡ଼ଖଣ୍ଡ ଓ ସଂଲଗ୍ନ ଅଞ୍ଚଳ ଉପ‌ରେ ରହିଥିବା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଉତ୍ତର ଝାରଖଣ୍ଡ ଓ ସଂଲଗ୍ନ ବିହାର ଉପରେ ରହିଛି । ଏହାସହ ଜଡ଼ିତ ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୭.୬କିମି ଉପର ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି । ଅନ୍ୟପକ୍ଷରେ ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ରହିଛି । ପାଣିପାଗର ଏହି ଦୁଇ ନିୟାମକ ପ୍ରଭାବରେ ରାଜ୍ୟରେ ଆଜି ଅଧିକାଂଶ ସ୍ଥାନରେ ବର୍ଷା ହେବ । ବି‌ଶେଷକରି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳ ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

କେନ୍ଦ୍ରର ସୂଚନା ମୁତାବକ, ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବାରୁ ଏବେ ରାଜ୍ୟର ଅଧିକାଂଶ ସ୍ଥାନରେ ଅଳ୍ପବହୁତ ବର୍ଷା ଜାରି ରହିବ । ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ପାଗ ପ୍ରାୟ ଶୁଖିଲା ଓ ଖରାଟିଆ ରହିପାରେ । ମୌସୁମୀ ସକ୍ରିୟ ଥିବାରୁ କିଛି କିଛି ସ୍ଥାନରେ ବର୍ଷାର ବି ସମ୍ଭାବନା ରହିଛି । ଭୁବନେଶ୍ବର ସମେତ ଏହାର ଆଖପାଖ ଅଞ୍ଚଳରେ ପା‌ଗ ମେଘୁଆ ରହିବ । ଦିନର ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରି ପାଖାପାଖି ରହିବ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।